Welcome To BN News . Always With Common People .

Breaking

Saturday 30 March 2019

ମହାମେଣ୍ଟ ମତଭେଦ ଜଳଜଳ

ଦୀର୍ଘସମୟ ଧରି ସହଯୋଗୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିବା ପରେ ବିହାର ମହାମେଣ୍ଟ ପକ୍ଷରୁ ଶୁକ୍ରବାର ଆସନ ଆବଣ୍ଟନ ବୁଝାମଣା ଶେଷ ହୋଇଛି। ରାଜ୍ୟର ୪୦ ଲୋକ ସଭା ଆସନ ମଧ୍ୟରୁ ୩୧ଟିର ଭାଗବଣ୍ଟା ଚୂଡ଼ାନ୍ତ ହୋଇଛି। ଏହାସହ ଅଧିକାଂଶ ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିରୋଧୀ ମହାମେଣ୍ଟ। ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ପକ୍ଷରୁ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀ ପାଟଳିପୁତ୍ରରୁ ପ୍ରାର୍ଥୀ ହୋଇଥିବାବେଳେ ଲୋକ ସଭାର ପୂର୍ବତନ ବାଚସ୍ପତି ମୈରା କୁମାରଙ୍କୁ ସାସାରାମରୁ ଟିକେଟ ଦେଇଛି କଂଗ୍ରେସ। ଆର୍‌ଜେଡି ନେତା ତେଜସ୍ବୀ ଯାଦବ ଏହି ଘୋଷଣା କରିବାବେଳେ ଖବରଦାତା ସମ୍ମିଳନୀରେ କଂଗ୍ରେସ ନେତାଙ୍କ ଅନୁପସ୍ଥିତି ମହାମେଣ୍ଟରେ ଥିବା ମତଭେଦକୁ ପଦାରେ ପକାଇଛି। ଆର୍‌ଜେଡିର ବଡ଼ଭାଇପଣିଆକୁ ନେଇ କଂଗ୍ରେସର ଅସନ୍ତୋଷ ଏଥିରୁ ଜଳଜଳ ହୋଇ ଦିଶୁଛି ବୋଲି ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି।
ଆର୍‌ଜେଡି ନେତା ତେଜସ୍ବୀ ଯାଦବ ପାଟନାରେ ଏକ ମିଳିତ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ମହାମେଣ୍ଟର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ବୁଝାମଣା ଅନୁସାରେ ଆର୍‌ଜେଡିକୁ ୨୦ ଆସନ ମିଳିଛି। ଆର୍‌ଜେଡି ଏଥରୁ ଗୋଟିଏ ସିଟ୍‌ ସିପିଆଇଏମ୍‌ଏଲ୍‌କୁ ଛାଡ଼ିଦେଇଛି। କଂଗ୍ରେସକୁ ୯ ଆସନ ମିଳିଥିବାବେଳେ ଉପେନ୍ଦ୍ର କୁଶଓ୍ବାହଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‌ଏଲ୍‌ଏସ୍‌ପି)କୁ ୫ ଏବଂ ଜିତନରାମ ମାଞ୍ଝିଙ୍କ ହିନ୍ଦୁସ୍ଥାନ ଆଓ୍ବାମ ପାର୍ଟି (ଏଚ୍‌ଏଏମ୍‌) ଓ ମୁକେଶ ସାହନୀଙ୍କ ବିକାଶଶୀଳ ଇନ୍‌ଶାନ ପାର୍ଟି (ଭିଆଇପି)କୁ ତିନୋଟି ଲେଖାଏ ଆସନରେ ପ୍ରତିଦ୍ୱନ୍ଦ୍ୱିତାର ସୁଯୋଗ ଦିଆଯାଇଛି। ଏହି ଅବସରରେ ତେଜସ୍ବୀ ଆର୍‌ଜେଡିର ୧୮ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସଂଯୁକ୍ତ ଜନତା ଦଳ (ଜେଡିୟୁ)ରୁ ବିଦା ହେବା ପରେ ଲୋକତାନ୍ତ୍ରିକ ଜନତା ଦଳ (ଏଲ୍‌ଜେଡି) ଗଠନ କରିଥିବା ଶରଦ ଯାଦବଙ୍କୁ ମଧେପୁରା ଆସନରୁ ଲଢ଼ିବା ପାଇଁ ଟିକେଟ ଦେଇଛି ଆର୍‌ଜେଡି। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂ ବୈଶାଳୀ ଓ ପୂର୍ବତନ ମନ୍ତ୍ରୀ ଜଗଦାନନ୍ଦ ସିଂ ବକ୍ସାର ଆସନରୁ ଲଢ଼ିବେ। ଜଗଦାନନ୍ଦ ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ଅବ୍‌ଦୁଲ ବାରି ସିଦ୍ଦିକିଙ୍କୁ ଦରଭଙ୍ଗା ଆସନ ମିଳିଛି। ପୂର୍ବତନ କ୍ରିକେଟର ତଥା ଭାଜପା ଛାଡ଼ି ନିକଟରେ କଂଗ୍ରେସରେ ଯୋଗଦେଇଥିବା କୀର୍ତ୍ତି ଆଜାଦଙ୍କୁ କଂଗ୍ରେସ ଏହି ଆସନରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲା। ହେଲେ ଦରଭଙ୍ଗା ଆସନ ନ ମିଳିବା ପରେ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରିଛି। ଅନ୍ୟପକ୍ଷରେ ବରିଷ୍ଠ ଆର୍‌ଜେଡି ନେତା ତନବିିର ହାସନଙ୍କୁ ଦଳ ବେଗୁସରାଇରୁ ପ୍ରାର୍ଥୀ କରିଛି। ଏହି ଆସନରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ଭାଜପା ଟିକେଟ ଦେଇଥିବାବେଳେ ଜେଏନ୍‌ୟୁ ଛାତ୍ର ସଂସଦର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାରଙ୍କୁ ସିପିଆଇ ପ୍ରାର୍ଥୀ କରିଛି। ଜେଲ୍‌ରେ ଥିବା ପୂର୍ବତନ ଏମ୍‌ପି ମହମ୍ମଦ ଶାହବୁଦ୍ଦିନଙ୍କ ସ୍ତ୍ରୀ ହିନା ସହାବ ସିଓ୍ବାନରୁ ଓ ଲାଲୁଙ୍କ ବଡ଼ପୁଅ ତେଜପ୍ରତାପ ଯାଦବଙ୍କ ଶ୍ୱଶୁର ଚନ୍ଦ୍ରିକା ରାୟ ସାରନ୍‌ ଆସନରୁ ଆର୍‌ଜେଡି ଟିକେଟରେ ଭାଜପା ଏମ୍‌ପି ରାଜୀବ ପ୍ରତାପ ରୁଡ଼ିଙ୍କ ବିରୋଧରେ ଲଢ଼ିବେ। ସେହିପରି ଭିଆଇପି ମୁଖ୍ୟ ମୁକେଶ ସାହନୀ ଖଗରିଆ ଓ ଏଚ୍‌ଏମ୍‌ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍‌ରାମ ମାଞ୍ଝି ଗୟାରୁ ପ୍ରାର୍ଥୀ ହୋଇଛନ୍ତି। ଅବଶିଷ୍ଟ ଆସନ ପାଇଁ କଂଗ୍ରେସ ଏବଂ ଆର୍‌ଏସ୍‌ଏଲ୍‌ପି ଖୁବ୍‌ଶୀଘ୍ର ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ଜେତସ୍ବୀ କହିଛନ୍ତି। କେବଳ ଶେଓହର ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ଗୁରୁବାର ଆର୍‌ଜେଡି ଛାତ୍ର ଶାଖା ମୁଖ୍ୟ ପଦରୁ ଇସ୍ତଫା ଦେଇଥିବା ଅସନ୍ତୁଷ୍ଟ ତେଜପ୍ରତାପଙ୍କୁ ମନାଇବା ପାଇଁ ତାଙ୍କ ସମର୍ଥକ ଅଙ୍ଗେଶ କୁମାରଙ୍କୁ ଏହି ଆସନରୁ ଲଢ଼ିବା ପାଇଁ ଆର୍‌ଜେଡି ଟିକେଟ ଦିଆଯିବା ନେଇ ଚର୍ଚ୍ଚା ହେଉଛି।
ଏହି ଖବରଦାତା ସମ୍ମିଳନୀରେ କଂଗ୍ରେସର କେହି ବଡ଼ନେତା ନ ଥିଲେ। ଏମ୍‌ଏଲ୍‌ସି ନରେନ୍ଦ୍ର ଯାଦବ ଦଳର ନାମମାତ୍ର ପ୍ରତିନିଧି ଭାବେ ଯୋଗଦେଇଥିଲେ। ଅଧା ଆସନ ଆର୍‌ଜେଡି ମାଡ଼ିବସିଥିତ୍ବାରୁ ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅସନ୍ତୁଷ୍ଟ ଥିବା ଏଥିରୁ ସ୍ପଷ୍ଟ ହୋଇଛି। ହେଲେ ତେଜସ୍ବୀ ଏଭଳି ଖବରକୁ ଖଣ୍ଡନ କରି କହିଛନ୍ତି, ମହାମେଣ୍ଟ ଏକଜୁଟ ଅଛି। କଂଗ୍ରେସ ସହ କିଛି ମତଭେଦ ନାହିଁ।

No comments:

Post a Comment