BN News

Welcome To BN News . Always With Common People .

Breaking

Wednesday 19 February 2020

23:18

ପଦାରେ ପଡ଼ିଲା ରାଜ୍ୟ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର : ରାଜ୍ୟର ୯୦ ପ୍ରାଥମିକ ବିଦ୍ୟାଳୟର ନାହିଁ ଶ୍ରେଣୀ ଗୃହ, ବାହାରେ ପଢୁଛନ୍ତି ପିଲା , ୧୧୫ ସ୍କୁଲର ନିଜସ୍ଵ ଶ୍ରେଣୀ ଗୃହ ନାହିଁ



ରାଜ୍ୟ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର । ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ । ବାହାରେ ବସି ପାଠ ପଢ଼ୁଛନ୍ତି ପିଲା । ଆଜି ବିଧାନସଭାରେ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ । ମୋହନ ମାଝୀ ଆଜି ଗୃହରେ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ କରିଥିଲେ । ଓଡିଶାରେ କେତେ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ ? କେତେ ସଂଖ୍ୟକ ବିଦ୍ୟାଳୟର ନିଜସ୍ୱ ଗୃହନାହିଁ ? କେତେ ବିଦ୍ୟାଳୟ ପାଇଁ ସର୍ବନିମ୍ନ ସଂଖ୍ୟକ ପିଲା ନାହାଁନ୍ତି ? କେତେ ସଂଖ୍ୟକ ହାଇସ୍କୁଲରେ କମ୍ପୁଟର ଥିଲେ ବି ବିଦ୍ୟୁତ୍ ନାହିଁ ? ଓ କେତେ ସଂଖ୍ୟକ ବିଦ୍ୟାଳୟରେ ପାଠାଗାର ନାହିଁ ବୋଲି ଜିଲ୍ଲାୱାରୀ ତଥ୍ୟ ଦେଇପାରିବେ କି ବୋଲି ପ୍ରଶ୍ନ କରିଥିଲେ ମୋହନ ମାଝୀ?
ଆଉ ବିଧାନସଭାର ଏହାର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ୧୧୫ଟି ବିଦ୍ୟାଳୟର ନିଜସ୍ୱ ଗୃହ ନାହିଁ । ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ । ବାହାରେ ବସି ପାଠ ପଢ଼ୁଛନ୍ତି ପିଲା । ୩୧୫ଟି ବିଦ୍ୟାଳୟରେ ସର୍ବନିମ୍ନ ସଂଖ୍ୟକ ୧୦ରୁ କମ୍ ପିଲା ପାଠ ପଢ଼ୁଛନ୍ତି । ପ୍ରାୟ ୧୦୪୮ଟି ହାଇସ୍କୁଲରେ କମ୍ପ୍ୟୁଟର ନାହିଁ । ୨୮ଟି କମ୍ପୁଟର ଥିବା ହାଇସ୍କୁଲରେ ବିଦ୍ୟୁତ୍ ସଂଯୋଗ ଥିବାବେଳେ ବିଦ୍ୟୁତ୍ କାର୍ଯ୍ୟକାରୀ ହେଉନାହିଁ । ୨୬୧ଟି ବିଦ୍ୟାଳୟରେ ପାଠାଗାର ନାହିଁ ଓ ୪୭୦ଟି ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ କାର୍ଯ୍ୟ କରୁଛନ୍ତି ।
23:14

ଅହମ୍ମଦାବାଦରେ ବିଶ୍ଵର ସବୁଠୁ ବଡ଼ ଷ୍ଟାଡିୟମ୍ ଉଦ୍‌ଘାଟନ କରିବେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍



ଆସୁଛନ୍ତି ଆମେରିକାର ରାଷ୍ଟ୍ରପତି। ଆସନ୍ତା ୨୩ରେ ଦୁଇଦିନିଆ ଭାରତ ଗସ୍ତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆସିବାକୁ ଥିବାବେଳେ ବେଶ୍‌ ପ୍ରସ୍ତୁତି ଚାଲିଛି। ସମ୍ପୂର୍ଣ୍ଣ ବ୍ୟବସ୍ଥା କରିବାରେ ଲାଗିପଡ଼ିଛନ୍ତି ଭାରତ ସରକାର। ଉଲ୍ଲେଖନୀୟ ବିଷୟ ଯେ ଟ୍ରମ୍ପ୍‌ ଭାରତ ଗସ୍ତକାଳରେ ବିଶ୍ଵର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍ ଉଦ୍‌ଘାଟନ କରିବେ। ଅହମ୍ମଦାବାଦର ସରଦାର ପଟେଲ୍ ମୋଟେରା ଷ୍ଟାଡିୟମ ତଥା ମୋଟେରା କ୍ରିକେଟ୍‌ ଗ୍ରାଉଣ୍ଡ୍‌ (ଏମ୍‌ସିଜି)କୁ ଉଦଘାଟନ କରିବା ସହ ସଭାକୁ ସମ୍ବୋଧିତ କରିବେ ଟ୍ରମ୍ପ୍।
୨୦୧୭ ଜାନୁଆରୀ ୧୬ରେ ଶିଳାନ୍ୟାସ ଦିଆଯାଇଥିବା ସରଦାର ପଟେଲ୍ ମୋଟେରା ଷ୍ଟାଡିୟମ୍‌ ପ୍ରାୟ ୭୦୦କୋଟି ଖର୍ଚ୍ଚରେ ନିର୍ମିତ ହୋଇଛି। ଏହି ଷ୍ଟାଡିୟମ୍ ଅଷ୍ଟେଲିଆର ଐତିହାସିକ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ଏବଂ କୋଲକାତାର ଇଡେନ ଗାର୍ଡେନ୍ ଠାରୁ ମଧ୍ୟ ବଡ଼। ଏଠାରେ ଏକକାଳୀନ ୧ ଲକ୍ଷ ୧୦ ହଜାର ଦର୍ଶକ ବସି ପାରିବେ। ୬୩ ଏକରରେ ନିର୍ମିତ ଷ୍ଟାଡିୟମରେ ୩ଟି ପ୍ରାକ୍ଟିସ୍ ଗ୍ରାଉଣ୍ଡ ଏବଂ ଏକ ଇଣ୍ଡୋର କ୍ରିକେଟ୍ ଏକାଡେମୀ ରହିଛି। ପାର୍କିଂ ଏରିଆରେ ୩୦୦୦କାର୍ ଏବଂ ୧୦,୦୦୦ ଦୁଇ ଚକିଆ ଗାଡ଼ି ରହିପାରିବ। ସେହିପରି ୭୬ କର୍ପୋରେଟ୍ ବକ୍ସ, ୪ଟି ଡ୍ରେସିଂ ରୁମ୍, ଗୋଟିଏ କ୍ଲବ୍ ହାଉସ୍ ଏବଂ ଅଲିମ୍ପିକ୍ ସାଇଜର ଏକ ସୁଇମିଂ ପୁଲ୍ ମଧ୍ୟ ରହିଛି। ସବୁଠୁ ବଡ଼କଥା ହେଉଛି ଯେ ବର୍ଷା ଛାଡ଼ିଯିବା ପରେ କେବଳ ୨୦ମିନିଟ୍ ଅପେକ୍ଷା କରିବାକୁ ପଡ଼ିବ। ତାପରେ ଉକ୍ତ ଗ୍ରାଉଣ୍ଡ୍‌ରେ ଖେଳିହେବ। ସେଭଳି ସୁବିଧା କରାଯାଇଥିବା ସୂଚନା ମିଳିଛି।
ସମାଲୋଚନା କଲା କଂଗ୍ରେସ
ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଅହମ୍ମଦାବାଦ ବିମାନ ବନ୍ଦରରେ ୭୦ ଲକ୍ଷ ଭାରତୀୟଙ୍କୁ ଏକତ୍ରିତ କରାଯିବ ବୋଲି ସୂଚନା ମିଳିଛି। ତେବେ ଏହାକୁ ନେଇ କଂଗ୍ରେସ ସମାଲୋଚନା କରିଛି। ଡୋନାଲ୍ଡ ଟ୍ରମ୍ପ କଣ ଭଗବାନ? ଯାହାଙ୍କ ପାଇଁ ୭୦ ଲକ୍ଷ ଲୋକଙ୍କୁ ଏକାଠି କରାଯାଉଛି? ଆମେରିକାର ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ୭୦ ଲକ୍ଷ ଲୋକଙ୍କୁ ଛିଡ଼ା କରିବାର କ'ଣ ଆବଶ୍ୟକ ବୋଲି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରଶ୍ନ ଉଠାଇଛନ୍ତି।
23:12

୧୦ ହଜାର ଟଙ୍କାର ଟୁର ପ୍ୟାକେଜର ଅଫର ଦେଖାଇ ନେଇଗଲେ ୯ କୋଟି



ଅହମଦାବାଦ: ଭ୍ରମଣ କରାଇବା ନାଁରେ ଠକେଇ ଅଭିଯୋଗ। ୧୦ ହଜାର ଟଙ୍କାର ଟୁର ପ୍ୟାକେଜର ଅଫର ଦେଖାଇ ୯ କୋଟି ଟଙ୍କା ଚଳୁ ହୋଇଥିବା ଅଭିଯୋଗ ହୋଇଛି। ଗୁଜରାଟ ଅହମଦାବାଦ ସ୍ଥିତ ପଞ୍ଚବଟି ଅଞ୍ଚଳର ଜଣେ ୮୦ ବର୍ଷୀୟ ବ୍ୟକ୍ତି ସୋମବାର ସାଇବର କ୍ରାଇମ ଥାନାରେ ୯ କୋଟି ଟଙ୍କା ଠକେଇ ନେଇ ଏତଲା ଦେଇଛନ୍ତି। ୧୦ ହଜାର ଟଙ୍କା ଟୁର ପ୍ୟାକେଜ ବାହାନାରେ ୩୩ ଜଣ ଲୋକ ତାଙ୍କ ପାଖରୁ ବିଭିନ୍ନ ଆଳ ଦେଖାଇ ୯ କୋଟି ଟଙ୍କା ଠକେଇ କରିନେଇଯାଇଥିବା ଏତଲାରେ ବୃଦ୍ଧ ଜଣଙ୍କ କହିଛନ୍ତି। ଏହାପରେ ଏଭଳି ଠକେଇର ଖବର ସାମ୍ନାକୁ ଆସିଛି।
ପଟେଲ ସୋସାଇଟି ନିବାସୀ ଦିନେଶ ଏତଲାରେ କହିଛନ୍ତି, ଅଲଗା ଅଲଗା ବ୍ୟକ୍ତି ଟୁର ପ୍ୟାକେଜ ନାମରେ କୋଟି କୋଟି ଟଙ୍କା ତାଙ୍କ ଆକାଉଣ୍ଟରେ ଟ୍ରାନସଫର କରିଛନ୍ତି। ଅଭିଯୁକ୍ତଙ୍କ କହିବା ଅନୁଯାୟୀ ପଟେଲ ଅକ୍ଟୋବର ୧୮, ୨୦୧୭ ଏବଂ ନଭେମ୍ୱର ୨୭, ୨୦୧୯ ମଧ୍ୟରେ ଅନଲାଇନ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ଏହି ସମସ୍ତ ପଇସା ଟ୍ରାନସଫର କରିଛନ୍ତି।
ପଟେଲ ଜଣେ ଅବସରପ୍ରାପ୍ତ କର୍ମଚାରୀ। ସେ ବିଭିନ୍ନ ଟେକ୍ସଟାଇଲ ମିଲ ଫାର୍ମରେ କାମ କରିଛନ୍ତି। ଅକ୍ଚୋବର ୧୮, ୨୦୧୭ରେ ଇ-ମେଲ ଜରିଆରେ ଟୁର ପ୍ୟାକେଜ ବାବଦରେ ସୂଚନା ପାଇଥିଲେ। ଟୁର ପ୍ୟାକେଜ ଅଫର ଦେଇଥିବା କମ୍ପାନୀ ଏକ ବିଶ୍ୱସନୀୟ କମ୍ପାନୀ ହୋଇଥିବାରୁ ତାଙ୍କୁ ଦିଆଯାଇଥିବା ଟୁର ପ୍ୟାକେଜ ଉପରେ ବିଶ୍ୱାସ କରିଥିଲେ। ଏହାପରେ ଇ-ମେଲରେ ଦିଆଯାଇଥିବା ସୂଚନା ଅନୁଯାୟୀ ଯୋଗଯୋଗ କରିଥିଲେ ପଟେଲ।
ପ୍ରଥମେ ପଟେଲଙ୍କୁ ୧୦ ହଜାର ଟଙ୍କା ଦେବାକୁ କୁହାଯାଇଥିଲା ଏଥିସହ ଏକ ଶତ ପ୍ରତିଶତ ଉପହାର ମିଳିବ ବୋଲି କୁହାଯାଇଥିଲା। ଏହାପରେ ଠକେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବୋଲି ପଟେଲ ଏତଲାରେ ଦର୍ଶାଇଛନ୍ତି। କାରଣ ୧୦ ହଜାର ଟଙ୍କା ଦେବା ପରେ ବିଭିନ୍ନ ଲୋକ ଆଳ ଦେଖାଇ ସମୟ ସମୟରେ ଟଙ୍କା ଦେବାକୁ କହିଥିଲେ। ଆଉ ପଟେଲ ମଧ୍ୟ ୮୦ଥର ଟ୍ରାଞ୍ଜାକସନରେ ୯ କୋଟି ଟଙ୍କା ଦେଇଥିବା ସେ କହିଛନ୍ତି। ଯେଉଁଥିରେ ସର୍ବନିମ୍ନ ୧୦ ହଜାର ଟଙ୍କା ରହିଥିବାବେଳେ ସର୍ବାଧିକ ଟଙ୍କା ୫୦ ଲକ୍ଷ ରହିଥିଲା। ଏହାପରେ ପଟେଲ କୌଣସି ଟୁର ପ୍ୟାକେଜ କିମ୍ୱା ତାଙ୍କ ପଇସା ଫେରସ୍ତ ପାଇନଥିବା କହିଛନ୍ତି। ଯେଉଁମାନେ ଫୋନ୍ କରି ଟଙ୍କା ନେଇଥିଲେ ସେମାନଙ୍କ ସହିତ ଯୋଗାଯୋଗ ନହୋଇପାରିବା ପରେ ପଟେଲ ସାଇବର କ୍ରାଇମ ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି।
ସାଇବର କ୍ରାଇମ ଥାନା ମଧ୍ୟ ୩୩ ଜଣ ଅଜ୍ଞାତ ଲୋକଙ୍କ ନାମରେ ଠକେଇ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ରହିଛି।
23:10

ଜାନୁଆରୀ ୨୦୨୦ ସୁଦ୍ଧା ଶ୍ରୀମନ୍ଦିରକୁଦାନ ମିଳିଛି ୧୮୭ କୋଟି



ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା । ପ୍ରତିଦିନ ଦେଶ ବିଦେଶରୁ କୋଟିକୋଟି ଭକ୍ତ ଶ୍ରକ୍ଷେତ୍ର ଆସୁଛନ୍ତି । ଆଉ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି । ଦର୍ଶନ କରିବା ପରେ ଭକ୍ତ ମହାପ୍ରଭୁଙ୍କ ହୁଣ୍ଡିରେ ଦାନ ମଧ୍ୟ ଦେଇଯାଇଥାଆନ୍ତି ।
ସେହି ଦାନ ଅର୍ଥରେ ରୀତିନୀତି ସମ୍ପନ୍ନ ହୋଇଥାଏ । ବିଧାନସଭାରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନରେ ଏହାର ଉତର ଦେଇଛନ୍ତି ଆଇନ୍ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଜାନୁଆରୀ ୨୦୨୦ ସୁଦ୍ଧା ଶ୍ରୀମନ୍ଦିରକୁ ଦାନ ମିଳିଛି ୧୮୭ କୋଟି ୧ଲକ୍ଷ ୮୫ ହଜାର ଟଙ୍କା । ଏହାଛଡ଼ା ୧୭କିଲୋ ୭୫୬ ଗ୍ରାମ ୭୦୬ ମିଲିଗ୍ରାମ ସୁନା ଦାନ ମିଳିଛି । ୨୨୭ କିଲୋ ୯୫ ଗ୍ରାମ ୩୦୭ମିଲିଗ୍ରାମ ରୁପା ମଧ୍ୟ ମିଳିଛି ବୋଲି ମନ୍ତ୍ରୀ କହିଛନ୍ତି ।

23:05

ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ : ବ୍ୟୟ ଅଟକଳ ୧ ଲକ୍ଷ ୫୦ ହଜାର କୋଟି


ଘୋଷଣା ହେଲା ରାଜ୍ୟ ବଜେଟ, ସୋମବାର ପ୍ରଥମ ଥର ପାଇଁ ପେପର ଲେସ ବଜେଟ ଉପସ୍ଥାପନା କରିଥିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବର୍ଷ ରାଜ୍ୟ ବଜେଟର ବ୍ୟୟ ଅଟକଳ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ରହିଥିବାବେଳେ ପ୍ରଶାସନିକ ବ୍ୟୟ ପରିମାଣ ୬୫,୬୫୫ କୋଟି ଟଙ୍କା । କାର୍ଯ୍ୟକ୍ରମ ବ୍ୟୟ ପରିମାଣ ୭୪ ହଜାର କୋଟି ଟଙ୍କା ରହିଛି । ବିପର୍ଯ୍ୟୟ ପ୍ରଶମନ ବାବଦ ବ୍ୟୟ ୩,୨୦୦ କୋଟି ଟଙ୍କା । ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥା ବ୍ୟୟ ୭,୧୪୫ କୋଟି ଟଙ୍କା ରହିଛି । ଜାତୀୟ ଅଭିବୃଦ୍ଧି ହାର ୫% ଆକଳନ କରାଯାଇଥିବା ବେଳେ ଆମର ଅଭିବୃଦ୍ଧି ହାର ୬.୧ % ଆକଳନ କରାଯାଇଛି । ସେହିଭଳି କୃଷି ପ୍ରଧାନ ଆମ ରାଜ୍ୟରେ ବଜେଟରେ କୃଷି କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି, କୃଷିରେ ରାଜ୍ୟର ଅଭିବୃଦ୍ଧି ହାର ରହିଛି ୪.୫ % ଯେଉଁଠି କୃଷି କ୍ଷେତ୍ରରେ ଜାତୀୟ ଅଭିବୃଦ୍ଧି ହାର ରହିଛି ୩.୧ % । କୃଷକ ସଶକ୍ତୀକରଣ ପାଇଁ କାଳିଆ ଯୋଜନା ଚାଲୁ ରହିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ କାଳିଆ ଯୋଜନାରେ ୪୩ ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇଥିବା ନେଇ ସୂଚନା ଦେଲେ ଅର୍ଥ ମନ୍ତ୍ରୀ । କାଳିଆ ଯୋଜନାରେ ୫୧୧୫ କୋଟି ଟଙ୍କା ଚାଷୀଙ୍କୁ ମିଳିଥିବାବେଳେ ବିହନ ପାଇଁ ୧୦୦ କୋଟି ଟଙ୍କା ଓ ସାର ପାଇଁ ୧୦୦ କୋଟି ଟଙ୍କାର ଆବର୍ତନ ପାନ୍‌ଠିି ରହିଛି । ଚଳିତ ଆର୍ଥିକ ବର୍ଷରେ ଆଉ ୧.୮୪ ଲକ୍ଷ ହେକ୍ଟରକୁ ଜଳ ଯୋଗାଣ ନେଇ ଲକ୍ଷ୍ୟ ରଖା ଯାଇଛି । ବିଗତ ୫ ବର୍ଷ ମଧ୍ୟରେ ୬ଟି ବୃହତ ଜଳ ସେଚନ ପ୍ରକଳ୍ପ କରାଯାଇଛି । ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୧୦୬୦ କୋଟି ବ୍ୟୟବରାଦ । ରୁଫ ଟଫ ଓ ଗ୍ରାଉଣ୍ଡ ୱାଟର ରିଚାର୍ଜ ପାଇଁ ୫ ବର୍ଷରେ ୨୪୬ କୋଟି ଟଙ୍କା ଖର୍ଚ୍ଚ ହେବ । ୧୫ ଜିଲ୍ଲାର ୧୦,୦୦୦ ହଜାର ପୋଖରୀ ନବୀକରଣ ପାଇଁ ଯୋଜନା କରାଯାଇଛି । କାଳିଆ ଯୋଜନାରେ ବିନା ସୁଧରେ କୃଷି ଋଣ ପାଇଁ ୭୦୫କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟ ଅଟକଳ କରାଯାଇଛି । କୃଷି ପାଇଁ ଚଳିତ ବର୍ଷ ବ୍ୟୟବରାଦ ୧୯,୪୦୮ କୋଟି ଟଙ୍କା ରହିଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ୭୦୦ କୋଟି ଟଙ୍କା ବ୍ୟୟବରାଦ ରହିଛି । ମିଲେଟ ମିଶନ ପାଇଁ ମୋଟ ୧୦୬ କୋଟି ବ୍ୟୟ ବରାଦ କରାଯାଇଛି । ମତ୍ସ୍ୟ ଚାଷ ଓ ପଶୁ ପାଳନ ପାଇଁ ୧୨୧୧ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି । ମାଛ ଚାଷ ପାଇଁ ପୋଖରୀ ଖୋଳିବା ପାଇଁ ୨୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରାଜ୍ୟରେ ମୋଟ ଘରୋଇ ଉତ୍ପାଦ ୧୨.୨ % ରୁ ୨୦.୧ % ପ୍ରତିଶତକୁ ବୃଦ୍ଧି ପାଇଛି । ଚଳିତ ଆର୍ଥିକ ବର୍ଷରେ ୧ଲକ୍ଷ ୨୪ ହଜାର କୋଟି ଟଙ୍କା ରାଜସ୍ୱ ଆଦାୟ ହେବା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଋଣ ବାବଦକୁ ପ୍ରାୟ ୨୫ ହଜାର କୋଟି ଟଙ୍କା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ପୁରୀର ବିକାଶ ପାଇଁ ଅବଢା ଯୋଜନାରେ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଲକ୍ଷ୍ୟ ରଖିଛନ୍ତି ସରକାର । ଏକ୍ରାମ କ୍ଷେତ୍ରର ବିକାଶ ପାଇଁ ୧୫୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । କଟକ ସହର, ଭିତରକନିକା ଓ ସମଲେଶ୍ୱରୀଙ୍କ ପାଇଁ ବଜେଟରେ ବ୍ୟୟ ଅଟକଳ କରିଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ସେବା ପାଇଁ ୫ ବର୍ଷରେ ବଜେଟ ୭୭୦୦କୋଟିକୁ ବୃଦ୍ଧି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୧୦୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସ୍ୱାସ୍ଥ୍ୟ ଭିତିିଭୂମି ଓ ଆମ୍ବୁଲାନ୍ସ ପାଇଁ ୧୬୫୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କଟକ ବଡ ମେଡିକାଲର ବିକାଶ ପାଇଁ ଦୁଇ ବର୍ଷରେ ଖର୍ଚ୍ଚ ହେବ ୧୦୦୦ କୋଟି ଟଙ୍କା । ଆଉ ୭ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମୋ ସ୍କୁଲ ଯୋଜନା ପାଇଁ ୪୦ କୋଟି ଟଙ୍କା ଓ ମୋ କଲେଜ ଯୋଜନା ପାଇଁ ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଚଳିତ ଆର୍ଥିକ ବର୍ଷରୁ ଶତପ୍ରତିଶତ ନଗରାଂଚଳକୁ ପାଇପ ଯୋଗେ ପାଣି ଯୋଗାଣ ଲକ୍ଷ୍ୟ ରହିଥିବା ବେଳେ ଗ୍ରାମାଂଚଳ ମାନଙ୍କରେ ୬୦ ପ୍ରତିଶତ ଗ୍ରାମାଂଚଳ ମାନଙ୍କୁ ପାଣି ଯୋଗାଇବା ନେଇ ଲକ୍ଷ୍ୟ ରଖାଯାଇଛି । ପାଇପ ପାଣି ଯୋଗାଇବା ପାଇଁ ବଜେଟରେ ମୋଟ ୮୦୦୦ କୋଟି ଟଙ୍କାର ବ୍ୟୟବରାଦକୁ ଅଟକଳ କରାଯାଇଛି । ପିଏମଏୱାଇ ଓ ବିଜୁ ପକ୍କା ଘର ପାଇଁ ୩୯୬୨ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି । ମମତା ଯୋଜନା ପାଇଁ ୩୦୫ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି । ମିଶନ ଶକ୍ତିରେ ଋଣ ଯୋଗାଇବା ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ପାଇଁ ୪୦୭୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ମନରେଗା ଯୋଜନା ପାଇଁ ୧୫୦୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଜାତୀୟ ଜୀବିକା ମିଶନ ପାଇଁ ୮୫୨ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି । ଏସଟି ଓ ଏସସିଙ୍କ ବିକାଶ ପାଇଁ ମୋଟ ୨୩,୮୦୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମଧୁବାବୁ ପେନସନ ଯେଜନା ପାଇଁ ୧୮୧୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଖାଦ୍ୟ ନିରାପତା ସୁନିଶ୍ଚିତ କରିବା ପାଇଁ ୧୦୩୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସ୍ମାର୍ଟ ସିଟି ବିକାଶ କରିବା ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ନୂତନ ସହରର ବିକାଶ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ୬୧୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ରେଳ ଭିତିଭୂମି ଉନ୍ନତି କରିବା ପାଇଁ ୪୦୦ କୋଟି ଟଙ୍କା ବ୍ୟୟ କରିବେ ରାଜ୍ୟ ସରକାର । ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆଭ୍ୟନ୍ତରୀଣ ନିରାପତା ପାଇଁ ୫୯୭୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପୀଡ଼ିତ ମାନଙ୍କୁ କ୍ଷତିପୂରଣ ସହାୟତା ପାଇଁ ୨୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି ।

୨୦୨୦ ମେକ ଇନ ଓଡ଼ିଶା ପାଇଁ ଇପିକଲକୁ ଦିଆଯିବ ୭୦ କୋଟି ଟଙ୍କା । ଖଣି କ୍ଷେତ୍ରର ବିକାଶ ପାଇଁ ୧୮୨ କୋଟି ଟଙ୍କା ବ୍ୟୟବରାଦ । ଗ୍ରୀନ ମହାନଦୀ ମିଶନ ପାଇଁ ୩୧ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି । ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୪୦୧ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି । ଓଡ଼ିଶା ଭାଷା ଓ ସଂସ୍କୃତି ପାଇଁ ୧୬୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପୁରୁଣା କୀର୍ତିରାଜିର ସୁରକ୍ଷା ପାଇଁ ପ୍ରତ୍ନତତ୍ୱ ନିର୍ଦ୍ଦେଶାଳୟ ପ୍ରତିଷ୍ଠା ହେବ । କ୍ରୀଡା ଓ ଯୁବସେବା ପାଇଁ ୩୦୧ କୋଟି ଟଙ୍କା ବ୍ୟୟବରାଦ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବିଧାୟକ ଉନ୍ନୟନ ପାନ୍‌ଠି ପାଇଁ ୪୪୧ କୋଟି ଟଙ୍କା ବ୍ୟୟବରାଦ । ବିଧାୟକ ଉନ୍ନୟନ ପାଙଋି ସୀମା ୨ କୋଟିରୁ ୩ କୋଟିକୁ ବୃଦ୍ଧି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ରାଜ୍ୟ ସରକାର ୮୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ।

23:02

ଭୂତ ଉଠାଉଛି ଭତ୍ତା ଟଙ୍କା । ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କା ହଡପର ସାଙ୍ଘାତିକ ଅଭିଯୋଗ । ଭତ୍ତା କାର୍ଡ ସହ ଆଧାର ଲିଙ୍କ ପରେ ସାମ୍ନାକୁ ଆସିଲା ସତ




ଭୂତ ନେଉଛି ଭତ୍ତା ଟଙ୍କା ? ସୁନ୍ଦରଗଡ଼ରୁ ଆସିଲା ଦୁର୍ନୀତିର ବଡ଼ ଚିତ୍ର । ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଭୀମକୁଟା ଗାଁର ଫିଲମନ କେରକେଟା । ଫିଲମନଙ୍କ ମାଆ ଜୁଲିଆ କେରକେଟା ୨୦୧୬ରେ ଏବଂ ସ୍ତ୍ରୀ ଆନ୍ତୋନିଆ କେରକେଟା ଦେଢବର୍ଷ ତଳୁ ମୃତ୍ୟୁ ବରଣ କରି ସାରିଛନ୍ତି । କିନ୍ତୁ ସେମାନଙ୍କ ନାଁରେ ଆଜି ଯାଏଁ ଭତ୍ତା ଟଙ୍କା ଉଠୁଛି । ଏମାନଙ୍କ ଭଳି କୁରେଇ ପଚାଂୟତରେ ୪୯ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କା ଉଠୁଥିବା ତଥ୍ୟ ପଦାକୁ ଆସିଛି । ତେବେ ତାଲିକାର ୨୭ ନମ୍ବର କ୍ରମାଙ୍କରେ ଆନ୍ତୋନିଆ କେରକେଟା ଏବଂ ୧୭୯ ନମ୍ବର କ୍ରମାଙ୍କରେ ଜୁଲିଆ କେରକେଟା ଓ ୩୮୯ ନମ୍ବର କ୍ରମାଙ୍କରେ ମୃତ ସେଲିନା କୁଲୁଙ୍କୁ ଭତ୍ତା ଦିଆଯାଉଥିବା ଦର୍ଶାଯାଇଛି । ତେବେ ଏହି ଭତ୍ତା ଟଙ୍କା ହିତାଧିକାରୀଙ୍କ ପରିବାର ବର୍ଗ ପାଉନଥିବା ବେଳେ ଟଙ୍କା ଯାଉଛି କୁଆଡେ ତାକୁ ନେଇ ପ୍ରଶ୍ନ ଉଠିଛି ।

ଭତ୍ତା ସହ ଆଧାର ଲିଙ୍କ ହେଲା, ଭତ୍ତା ଟଙ୍କା ହଡ଼ପର ଗୁମର ଫିଟିଲା । ହିତାଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ଭତ୍ତା କାର୍ଡକୁ ପଂଚାୟତ କର୍ତୃପକ୍ଷ ଜବତ କରିଥାନ୍ତି । ତେବେ ପଂଚାୟତ କର୍ତୃପକ୍ଷ ମୃତ ବ୍ୟକ୍ତିଙ୍କ ଭତ୍ତା କାର୍ଡ ନେଇ ଯାଉଥିବା ବେଳେ ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଟଙ୍କା ଉଠିଲା କେମିତି? ଆଉ ସେ ଟଙ୍କା ନେଉଛି କିଏ ? ଭତ୍ତା ଟଙ୍କା ହଡପ ଏତିକିରେ ଅଟକି ନାହିଁ । ପଚାଂୟତରେ ଜୀବିତ ହିତାଧିକାରୀ ବି ଠକାମୀର ଶିକାର ହୋଇଛନ୍ତି । ୨୦୧୮ରେ ଭତ୍ତା ମଞ୍ଜୁର ହୋଇଥିବା ହିତାଧିକାରୀଙ୍କୁ ୨୦୧୯ରୁ ଟଙ୍କା ଦିଆଯାଇଛି ।
କିନ୍ତୁ ସରକାରୀ ଦସ୍ତାବିଜରେ ୨୦୧୮ରୁ ଟଙ୍କା ଦିଆଯାଉଥିବା ଦର୍ଶାଯାଇଛି । ଆଉ ଏହି ସବୁ ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଭତ୍ତାକୁ ଆଧାର ଲିଙ୍କ ପାଇଁ ପ୍ରକ୍ରିୟା ଆରମ୍ଭ ହେଲା । ଆଉ ଏହାସହ ଏସବୁ କଳା କାରନାମା ପଛରେ ଥିବା ସ୍ଥାନୀୟ ସରପଂଚ, ପଂଚାୟତ ଅଧିକାରୀ ଓ ଜିଆରଏସ୍ଙ୍କ ଅସଲ ମୁଖା ପଦାରେ ପଡିଛି । ତେବେ ଭତ୍ତା ହଡପ ସଂପର୍କରେ ସୁନ୍ଦରଗଡ ଉପଜିଲ୍ଲାପାଳ କହିଛନ୍ତି ଏହା ଏକ ସମ୍ବେଦନଶୀଳ ଘଟଣା । ଏହାର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
22:59

ଯେଉଁଠି ହଜିଗଲାଣି ମାନବିକତା, ଫଟୋ ଉଠାରେ ମାତିଲେ ଲୋକେ : ଦୁର୍ଘଟଣାରେ ଯନ୍ତ୍ରଣା ଜର୍ଜରିତ ଯୁବକ ଶେଷରେ ଆଖି ବୁଜିଲେ


ସତରେ ଆଜିର ଅବକ୍ଷୟମୁଖୀ ଦୁନିଆରେ ଲୋକଙ୍କ ହୃଦୟରୁ ହଜିଗଲାଣି ମାନବିକତା । ବନ୍ଧାପଡିଲାଣି ବିବେକ । ଯାହା ଆଜି ଦେଖିବାକୁ ମିଳିଥିଲା ଭଦ୍ରକ ସହରର ବ୍ୟସ୍ତ ବହୁଳ ୧୬ନଂ ଜାତୀୟ ରାଜପଥର ସାହାପୁର ଛକ ପୋଲ ନିକଟ ଆଞ୍ଚଳିକ ରାସ୍ତରେ । ଏକ ଟ୍ରକ୍ ଦୁର୍ଘଟଣାରେ ରାସ୍ତାରେ ପଡି ଜଣେ ଯୁବକ ମୃତ୍ୟୁ ସହ ସଂଗ୍ରାମ କରି ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଭିଡ ଜମାଇଥିବା ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ପରିବର୍ତ୍ତେ ନିଜ ନିଜର ମୋବାଇଲ୍‌ରେ ବିଭିନ୍ନ ପୋଜ୍ ନେଇ ଫଟୋ ଉଠାଉଥିବାର ଦେଖିବାକୁ ମିଳିଥିଲା । ଫଳରେ ପୁଲିସ୍ ପହଞ୍ôଚ ଯୁବକଟିକୁ ଫଟୋ ଉଠାଉଥିବା ଲୋକଙ୍କ କବଳରୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହା ଜଣାଯାଏ ଯେଉଁ ଦେଖଣାହାରୀ ନିଜ ନିଜର ମୋବାଇଲ୍‌ରେ ଫଟୋଉଠା କାର୍ଯ୍ୟରେ ବ୍ୟସ୍ତ ରହି ମଜାନେଲେ, ସେମାନେ ହୁଏତ ତାଙ୍କୁ ସେହି ସମୟ ମଧ୍ୟରେ ଡାକ୍ତରଖାନାକୁ ନେଇଥିଲେ, ଏକ ବହୁମୂଲ୍ୟ ଜୀବନ ରକ୍ଷା ହୋଇପାରିଥାନ୍ତା । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ସକାଳ ପ୍ରାୟ ୯ଟା ସମୟରେ ୧୬ନଂ ଜାତୀୟ ରାଜପଥରେ ଓଆର-୨୨ସି-୨୯୫୫ନମ୍ବରର ଏକ ଟ୍ରକ୍ ପାୱାର ପ୍ଲାଣ୍ଟରୁ ପାଉଁଶ ନେଇ ଚରମ୍ପା ଆସୁଥିଲା ।
ତେବେ ଗେଲପୁର ପଂଚାୟତର ସମରାଇପୁର ନିବାସୀ ରମାକାନ୍ତ ଜେନାଙ୍କ ପୁତ୍ର ହିମାଂଶୁ କୋର୍କରା ପଂଚାୟତ ବରଡାଡିହି ଗ୍ରାମର ଦାମୋଦର ସାହୁଙ୍କ ପୁତ୍ର ଦେବେନ୍ଦ୍ର (୨୫) କୁ ଏକ ନମ୍ବର ବିହୀନ ନୂଆ ହୋଣ୍ଡା ସାଇନ୍‌ରେ ବସାଇ ସାହାପୁର ପୋଲ ନିକଟ ଆଞ୍ଚଳିକ ରାସ୍ତା ନିକଟରେ ଟ୍ରକ୍‌ଟିକୁ ଓଭରଟେକ୍ କରି ଯିବା ସମୟରେ ଟ୍ରକ୍‌ଟି ପଛରୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଚାଳକ ହିମାଂଶୁ ଡାହାଣ ପାଶ୍ୱର୍କୁ ଛିଟିକି ପଡିଥିଲେ । ମାତ୍ର ପଛରେ ବସିଥିବା ଦେବେନ୍ଦ୍ର ଟ୍ରକ୍ ସମ୍ମୁଖକୁ ଖସିପଡିବା ଫଳରେ ତାଙ୍କ ଅଣ୍ଟା ଉପରେ ଗାଡିଟି ମାଡିଯାଇଥିଲା । ତେବେ ଟ୍ରକ୍ ଚଢିଯାଇଥିବା ଦେବେନ୍ଦ୍ର ଯନ୍ତ୍ରଣାରେ ଦୀର୍ଘ ସମୟ ରାସ୍ତା ଉପରେ ପଡି ଛଟପଟ ହେଉଥିବାବେଳେ ଲୋକେ ତାଙ୍କୁ ଡାକ୍ତରଖାନା ପହଞ୍ଚାଇବା ଦୂରର କଥା, ତାଙ୍କୁ ବଂଚାଇବା ଦିଗରେ ସାମାନ୍ୟତମ ପ୍ରୟାସ କରିନଥିଲେ । କିନ୍ତୁ ନିଜ ନିଜର ମୋବାଇଲ୍‌ରେ ଫଟୋ ଉଠାଇ ଚାଲିଥିଲେ । ସେ ଯାହା ହେଉ କୌଣସି ଜଣେ ବ୍ୟକ୍ତି ପୁଲିସ୍‌କୁ ଖବର ଦେବା ପରେ ଉଭୟ ଗୁରୁତରଙ୍କୁ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତରଖାନାରେ ଦେବେନ୍ଦ୍ରର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

22:58

ଉହାନ୍‍ରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ଆସନ୍ତାକାଲି ଯିବ ସି-୧୭ ସାମରିକ ବିମାନ


ବେଜିଂ : ଚୀନର କରୋନା ଭୂତାଣୁର ଉତ୍ପତିସ୍ଥଳ ଉହାନ୍‍ରୁ ଦେଶର ନାଗରିକମାନଙ୍କୁ ଆଣିବା ପାଇଁ ଭାରତ ଗୁରୁବାର ସେଠାକୁ ଏକ
ସାମରିକ ବିମାନ ପଠାଉଛି। ସୂଚନା ଅନୁସାରେ, ଭାରତୀୟ ବିମାନ ବାହିନୀର ସି-୧୭ ବିମାନରେ ବହୁପରିମାଣର ଡାକ୍ତରୀ ସରଞ୍ଜାମ ଚୀନକୁ
ପଠାଯିବ। ପୂର୍ବରୁ ସରକାର ଚୀନରୁ ୬୪୦ଜଣ ଭାରତୀୟଙ୍କୁ ବିମାନ ଯୋଗେ ସ୍ବଦେଶକୁ ଆଣିସାରିଛନ୍ତି।
ଇତିମଧ୍ୟରେ ରାଜଧାନୀ ଦିଲ୍ଲୀସ୍ଥିତ ଆଇଟିବିପି ଶିବିରରେ ଚୀନରୁ ଆସି ରହିଥିବା ଲୋକମାନଙ୍କର ଡାକ୍ତରୀ ପରୀକ୍ଷା ପରେ ୪୦୬ଜଣଙ୍କୁ ଛାଡ଼ିଦିଆଯାଇଛି। ସେମାନଙ୍କ ଶରୀରରେ କରୋନା ଭୂତାଣୁ ନଥିବାର ପରୀକ୍ଷାରୁ ଜଣାପଡ଼ିଥିଲା। ବୁଧବାର ସକାଳେ ଏକ ପରିବାରର ୬ ଜଣ ସଦସ୍ୟ ଶିବିରରୁ ନିଜ ଘରକୁ ଫେରିଛନ୍ତି।

22:57

ରାମଙ୍କ ପ୍ରେମରେ ଭାରତୀୟ ରେଳ, ଗଡ଼ିବ ଶ୍ରୀ ରାମାୟଣ ଏକ୍ସପ୍ରେସ, ଆପଣ ବୁଲିବେ ୧୬ ରାତି ୧୭ ଦିନ



ନୂଆଦିଲ୍ଲୀ: ଭଗବାନ ରାମଙ୍କ ସହ ଜଡ଼ିତ ତୀର୍ଥସ୍ଥାନ ବୁଲିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରେଳବାଇ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛି। ଏଥିପାଇଁ ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଶ୍ରୀ ରାମାୟଣ ଏକ୍ସପ୍ରେସ ଚଳାଚଳ କରିବ। ଏହି ସ୍ୱତନ୍ତ୍ର ଟ୍ରେନରେ ମୋଟ ୧୦ଟି ବଗି ରହିବ। ଏଥି ମଧ୍ୟରୁ ୫ଟି ନନ୍‌-ଏସି ସ୍ଲିପର କ୍ଲାସ ଓ ୫ଟି ୩ ଟାୟର ଏସି କୋଚ ରହିବ। ପ୍ରଥମେ ଯିଏ ବୁକିଂ କରିବ, ତାଙ୍କୁ ହିଁ ଟ୍ରେନରେ ଯାତ୍ରା କରିବାକୁ ପ୍ରଥମେ ଅଗ୍ରାଧିକାର ମିଳିବ।
ଗତବର୍ଷ ମଧ୍ୟ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସମାନଧରରଣ ଏକ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଥିଲା। ଏହାକୁ ଅନେକ ସଫଳତା ମିଳିଥିଲା। ତେବେ ଏହି ସ୍ୱତନ୍ତ୍ର ଟ୍ରେନରେ କେବଳ ସ୍ଲିପର କ୍ଲାସ ବଗି ରହିଥିଲା। ଏଥିରେ ଥିବା ସମସ୍ତ ସିଟ୍‌ ମାତ୍ର ୭ ଦିନ ମଧ୍ୟରେ ବୁକିଂ ହୋଇଯାଇଥିଲା। ଏହି ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଦିଲ୍ଲୀ ଠାରୁ ମାର୍ଚ୍ଚ ୨୮ରୁ ଶ୍ରୀ ରାମାୟଣ ଏକ୍ସପ୍ରେସ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି।
ଏଥିରେ ଯାତ୍ରା କରିବାକୁ ଥିବା ଶ୍ରଦ୍ଧାଳୁମାନେ ଦିଲ୍ଲୀର ସଫଦରଜଙ୍ଗ, ଗାଜିଆବାଦ, ମୋରଦାବାଦ, ବରେଲୀ ଓ ଲକ୍ଷ୍ନୌରୁ ଟ୍ରେନ ଧରିପାରିବେ। ୧୬ଟି ରାତି ଓ ୧୭ଦିନିଆ ଟୁରରେ ଶ୍ରଦ୍ଧାଳୁମାନେ ଦେଶରେ ଥିବା ଭଗବାନ ରାମଙ୍କ ସହ ଜଡ଼ିତ ସମସ୍ତ ପର୍ଯ୍ୟଟନସ୍ଥଳୀର ଦର୍ଶନ କରିପାରିବେ।
ଏହି ଟୁରକୁ ରାମାୟଣ ସର୍କିଟ ଅଫ ଇଣ୍ଡିଆ ବୋଲି କୁହାଯାଉଛି। ଟ୍ରେନଟି ଅଯୋଧ୍ୟାରେ ଥିବା ରାମଜନ୍ମ ଭୂମି ଓ ହନୁମାନ ଗ୍ରହୀ, ନନ୍ଦୀ ଗ୍ରାମରେ ଥିବା ଭାରତ ମନ୍ଦିର, ବିହାରରେ ଥିବା ସୀତା ମା' ମନ୍ଦିର, ନେପାଳରେ ଥିବା ଜାନକପୁର, ବାରାଣସୀରେ ଥିବା ତୁଳସୀ ମାନସ ମନ୍ଦିର ଓ ସଙ୍କଟ ମୋଚନ ମନ୍ଦିର, ଉତ୍ତର ପ୍ରଦେଶରେ ଥିବା ସୀତା ସମହିତ ସ୍ଥଳ, ପ୍ରୟାଗରେ ଥିବା ତ୍ରିବେଣୀ ସଙ୍ଗମ, ହନୁମାନ ମନ୍ଦିର ଓ ଭରଦ୍ୱାଜ ଆଶ୍ରମ ଆଦି ସ୍ଥାନ ଭ୍ରମଣ କରିବେ।
ଶ୍ରଦ୍ଧାଳୁମାନଙ୍କୁ ଟ୍ରେନରେ କେବଳ ନିରାମିଷ ଖାଦ୍ୟ ମିଳିବ। ଟ୍ରେନ ରହିବା ପରେ ଲୋକଙ୍କୁ ଧର୍ମଶାଳା କିମ୍ବା ହୋଟେଲରେ ରଖାଯିବ। ସେହିପରି କୌଣସି ସ୍ଥାନକୁ ଦରକାର ପଡ଼ିଲେ ଏସି ବସର ବ୍ୟବସ୍ଥା କରାଯିବ।
ଏହି ବସରେ ଆଇଆରସିଟିସିର ଟୁର ମ୍ୟାନେଜର ରହିବେ। ନବରାତ୍ରୀ ଭଳି ଉତ୍ସବରେ ଯାତ୍ରା କରୁଥିବା ଲୋକଙ୍କୁ ବିନା ପିଆଜ ରସୁଣରେ ଖାଦ୍ୟ ଦିଆଯିବ। ଏହି ଟ୍ରେନରେ ସ୍ଲିପର କ୍ଲାସ ଭଡ଼ା ୧୬,୦୬୫ ଓ ଏସି ପାଇଁ ୨୬, ୭୭୫ ଟଙ୍କା ରହିଛି।
22:55

ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟର ନୂଆ ସଭାପତି ନିଯୁକ୍ତ



ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ଆଜି ଦିଲ୍ଲୀରେ ବସିଥିଲା। ଦୀର୍ଘ ୨ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର ଏହି ଟ୍ରଷ୍ଟର ମୁଖ୍ୟ ଭାବେ ନିଯୁକ୍ତ କରିଥିବା ବରିଷ୍ଠ ଆଇନଜୀବୀ କେ ପରାସରନଙ୍କ ଗ୍ରେଟର କୈଳାସ ବାସଭବନରେ ହିଁ ବୈଠକ ଆୟୋଜନ ହୋଇଥିଲା।
ପ୍ରଥମ ବୈଠକରେ ଟ୍ରଷ୍ଟ ପକ୍ଷରୁ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ମହନ୍ତ ନୃତ୍ୟ ଗୋପାଳ ଦାସ ହେଉଛି ବାବ୍ରୀ ମସଜିଦ ଭଙ୍ଗା ଘଟଣାର ଅଭିଯୁକ୍ତ। ସେ ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାୟିତ୍ୱରେ ରହିବେ।
ନୃତ୍ୟ ଗୋପାଳ ଦାସଙ୍କ ଆଉ ଏକ ପରିଚୟ ହେଉଛି ସେ ବିଶ୍ୱ ହିନ୍ଦୁ ପରିଷଦର ରାମ ଜନ୍ମଭୂମି ନ୍ୟାସର ମୁଖ୍ୟ। ସେହିପରି ବିଶ୍ୱ ହିନ୍ଦୁ ପରିଷଦର ଆଉ ଜଣେ ଟପ ସଦସ୍ୟ ଚମ୍ପତ ରାୟଙ୍କୁ ରାମ ମନ୍ଦିର ଟ୍ରଷ୍ଟର ଉପାଧ୍ୟକ୍ଷ ଓ ପୁଣେର ସ୍ୱାମୀ ଗୋବିନ୍ଦ ଦେବ ଗିରିଙ୍କୁ କୋଷାଧ୍ୟକ୍ଷ କରାଯାଇଛି।
ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବତନ ପ୍ରିନ୍ସପାଲ ସଚିବ ନୃପେନ୍ଦ୍ର ମିଶ୍ରାଙ୍କୁ ମନ୍ଦିର ନିର୍ମାଣ କମିଟି ମୁଖ୍ୟ ଭାବେ ମନୋନୀତ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପର୍କିତ କାର୍ଯ୍ୟକୁ ପରିଚାଳନା କରିବା ପାଇଁ ଲୋକସଭାରେ ହିଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଘୋଷଣା କରିଥିଲେ। ଆଜି ଏହାର ପ୍ରଥମ ବୈଠକ ବସିଥିବାରୁ ରାମ ମନ୍ଦିର ନିର୍ମାଣ ତାରିଖ ଘୋଷଣା ହେବ ବୋଲି ଆଶା କରାଯାଉଥିଲା।

ହେଲେ ଟ୍ରଷ୍ଟ କେବଳ ନିର୍ମାଣ କମିଟି ଗଠନ କରିବା ସହ ନୃପେନ୍ଦ୍ର ମିଶ୍ରାଙ୍କୁ ଏହାର ମୁଖ୍ୟ କରିଛି। ୧୫ ଦିନ ପରେ ଅଯୋଧ୍ୟରେ ପୁଣିଥରେ ଟ୍ରଷ୍ଟର ବୈଠକ ବସିବ। ଏହାପରେ ସେଠାରେ ହିଁ ରାମ ମନ୍ଦିରର ନିର୍ମାଣ ସମ୍ପର୍କରେ ତାରିଖ ଘୋଷରା କରାଯିବ। ବୈଠକ ପରେ ନୃତ୍ୟ ଗୋପାଳ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ "ଲୋକଙ୍କ ଭାବନାକୁ ଆଦର କରାଯିବ। ଯଥା ଶୀଘ୍ର ହିଁ ମନ୍ଦିର ନିର୍ମାଣ କରାଯିବ। ମନ୍ଦିରର ମୁଖ୍ୟ ଢାଞ୍ଚା ସମାନ ରହିବ। ହେଲେ ମନ୍ଦିରର ଉଚ୍ଚତା ଏବଂ ଓସାର ବୃଦ୍ଧି ପାଇଁ ଯୋଜନା କରାଯାଉଛି।"
ଅଯୋଧ୍ୟାର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ଆକାଉଣ୍ଟ ଖୋଲାଯିବ। ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିବାକୁ ଚାହୁଁଥିବା ଲୋକମାନେ ଏଥିରେ ଟଙ୍କା ପୈଠ କରିପାରିବେ ବୋଲି ଚମ୍ପତ ରାୟ ସୂଚନା ଦେଇଛନ୍ତି। ଆଜିର ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଜ୍ଞାନେଶ କୁମାର, ୟୁପି ସରକାରଙ୍କ ପକ୍ଷରୁ ଅବିନାଶ ଅୱସ୍ତୀ ଓ ଅଯୋଧ୍ୟା ଜିଲ୍ଲା ମାଜିଷ୍ଟ୍ରେଟ ଅନୁଜ କୁମାର ଝା ଉପସ୍ଥିତ ରହିଥିଲେ।
ଆଜିର ବୈଠକ ସମ୍ପର୍କରେ ମତଦେଇ ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି, "ଆପଣ ଯଦି ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ କରିପାରୁଛନ୍ତି, ତା'ହେଲେ ମସଜିଦ ନିର୍ମାଣ ପାଇଁ କାହିଁକି ଟ୍ରଷ୍ଟ ଗଠନ କରିପାରୁ ନାହାନ୍ତି? ଦେଶ ସମସ୍ତଙ୍କର ଓ ଦେଶ ସମସ୍ତଙ୍କ ପାଇଁ।"