Welcome To BN News . Always With Common People .

Breaking

Monday 8 April 2019

ସିବିଆଇ ତାଲିକାଭୁକ୍ତ ନେତାଙ୍କୁ ନେଇ ନବୀନ ନେଇଛନ୍ତି ବିରାଟ ରିସ୍କ


ବିଭିନ୍ନ ଦୁର୍ନୀତି ମାମଲାର ଅଭିଯୁକ୍ତ ନେତାମାନଙ୍କୁ ପୁନର୍ବାର ଟିକଟ ଦେଇ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଏକ ବଡ଼ ରାଜନୈତିକ ରିସ୍କ ନେଇଛନ୍ତି। ଏହା ତାଙ୍କର ରାଜନୈତିକ ବାଧ୍ୟବାଧକତା ନା ନିର୍ବାଚନୀ କୌଶଳ, ତାହା ଫଳାଫଳ ନିର୍ଣ୍ଣୟ କରିବ। କିନ୍ତୁ ଭବିଷ୍ୟତରେ ଏହି ନିଷ୍ପତ୍ତି ନବୀନଙ୍କ ପାଇଁ ମସ୍ତବଡ଼ ମୁଣ୍ଡବ୍ୟଥାର କାରଣ ହେବ ବୋଲି ପୂର୍ବାନୁମାନ କରାଯାଇପାରେ।
ଏଥର ନବୀନ ପଟ୍ଟନାୟକ ଯଦି, କିନ୍ତୁ, ପରନ୍ତୁ ଏବଂ ଅଥଚ ଉପରେ ଅଧିକ ନିର୍ଭର କରି ପ୍ରାର୍ଥୀ ଚୟନ କରିଛନ୍ତି। କିନ୍ତୁ ରାଜନୀତିରେ ସବୁବେଳେ କିନ୍ତୁ-ପରନ୍ତୁ ସହାୟକ ସିଦ୍ଧ ହୁଏ ନାହିଁ। ହୁଏତ ନବୀନଙ୍କ କ୍ଷେତ୍ରରେ ଏଭଳି ଅନୁମାନ ଘାତକ ସିଦ୍ଧ ହୋଇପାରେ।
୨୦୧୭ ପଞ୍ଚାୟତ ନିର୍ବାଚନ ବିଫଳତା ପରେ ମନ୍ତ୍ରିମଣ୍ଡଳରୁ ଯୁବ ମନ୍ତ୍ରୀଙ୍କୁ ବିଦା କରିଦେଇଥିଲେ। ଏହାର ଦୁଇଟି କାରଣ ଥିଲା। ଦେବୀ ମିଶ୍ର ଏବଂ ପୁଷ୍ପେନ୍ଦ୍ରଙ୍କ ପରି ମନ୍ତ୍ରୀମାନଙ୍କ ନିର୍ବାଚନମଣ୍ଡଳୀରେ ବିଜେପି ଚମତ୍କାର ପ୍ରଦର୍ଶନ କରିଥିଲା। ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ଦେବୀ ମିଶ୍ରଙ୍କ ବିରୋଧରେ ଚିଟଫଣ୍ଡ ଅଭିଯୋଗ ଥିଲା। ସମାନ ଅଭିଯୋଗ ଥାଇ ସୂର୍ଯ୍ୟନାରାୟଣ ପାତ୍ର ମନ୍ତ୍ରିମଣ୍ଡଳରେ ରହିଲେ। ପ୍ରଦୀପ ପାଣିଗ୍ରାହୀ ଓ ପ୍ରଦୀପ ସେଠୀଙ୍କ ମଧ୍ୟରେ ସମ୍ପର୍କ କାହାକୁ ଅଛପା ନଥିଲା। ସେ ବାଦ ପଡ଼ିଥିଲେ। ଏମିତି ଦେଖିବାକୁ ଗଲେ ବହୁ ମନ୍ତ୍ରୀ ଓ ବିଧାୟକଙ୍କ ନାମରେ ଚିଟଫଣ୍ଡ ସମେତ ଅନେକ ଦୁର୍ନୀତି ଅଭିଯୋଗ ଉଠିଥିଲା।
ନବୀନଙ୍କ ତଥାକଥିତ ଦୁର୍ନୀତିମୁ ଛବି ତାଙ୍କୁ ୩ଟି ନିର୍ବାଚନ ଅତି ସହଜରେ ପାର କରାଇ ଦେଇଥିଲା। ୨୦୦୯ ନିର୍ବାଚନ ପରେ ଆସିଲା ଖଣି ଦୁର୍ନୀତି ମାମଲା। ଯେନତେନ ପ୍ରକାରେଣ ସିବିଆଇ ତଦନ୍ତକୁ ଅଟକାଇବାରେ ସଫଳ ହୋଇଥିଲେ ନବୀନ ପଟ୍ଟନାୟକ। କିନ୍ତୁ ଖଣି ଦୁର୍ନୀତି ହୋଇଥିବା କଥା ସ୍ୱୀକାର କରିଥିଲେ ସରକାର। ତେଣୁ ଦୁର୍ନୀତିମୁକ୍ତ ଭାବମୂର୍ତ୍ତି ଖସିବା ଆରମ୍ଭ କରିଥିଲା ୨୦୦୯ ପରେ ପରେ। ଏହାସତ୍ତ୍ୱେ ୨୦୧୪ ନିର୍ବାଚନରେ ନବୀନଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳକୁ ରେକର୍ଡ଼ ସଫଳତା ମିଳିଥିଲା।
ଯଦିଓ ବିଜୁ ପଟ୍ଟନାୟକଙ୍କ ୧୯୯୦ ରେକର୍ଡ଼ ଭାଙ୍ଗିପାରି ନଥିଲେ ନବୀନ, ତଥାପି ୧୧୭ ଆସନ ଜିଣିବା ମାମୁଲି ଘଟଣା ନଥିଲା। ମାତ୍ର କେନ୍ଦ୍ରରେ ନବୀନଙ୍କ ଇଚ୍ଛା ବିପରୀତ ମୋଦୀ ସରକାର ଗଠିତ ହେଲା। ଦୁର୍ଯୋଗକୁ ସୁପ୍ରିମକୋର୍ଟଙ୍କ ଠାରୁ ଚିଟଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଆସିଲା। ନବୀନ ସରକାରଙ୍କ ମନ୍ତ୍ରୀ, ବିଧାୟକ ଏବଂ ଅଫିସରମାନେ ଚିଟଫଣ୍ଡ ଦୁର୍ନୀତିରେ ନିବିଡ଼ ଭାବେ ଜଡ଼ିତ ଥିବା କାହାକୁ ଅଛପା ନଥିଲା।
ବିଜେଡ଼ି ସାଂସଦ ରାମଚନ୍ଦ୍ର ହାଁସଦା ଓ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ, ସୁବର୍ଣ୍ଣ ନାୟକ, ପ୍ରଭାତ ବିଶ୍ୱାଳ, ବିଜେପି ବିଧାୟକ ହିତେଶ ବଗର୍ତ୍ତି ଜେଲ ଗଲେ। କେତେ ଜଣଙ୍କୁ ସିବିଆଇ ପଚରା ଉଚରା କରିଥିଲା। ଆହୁରି ଅନେକଙ୍କ ନାମ ସିବିଆଇ ଅଭିଯୁକ୍ତ ତାଲିକାରେ ଥିଲା। ନବୀନ ସଫଳ ଗୋଟି ଚାଳନା କରି କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରିବା ଦ୍ୱାରା ଯେତିକି ଗତିରେ ସିବିଆଇ ତଦନ୍ତ ଚାଲିବା କଥା, ତାହା ହେଲା ନାହିଁ। ତେଣୁ ନବୀନ ପଟ୍ଟନାୟକ ନିଜେ ଆଶ୍ୱସ୍ତ। ତାଙ୍କ ସହ ଶାସକ ଦଳ ବି।
ଏହା ସହିତ ଅଛି ବ୍ଲାକରୋଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ। ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଶାହା କମିଶନ ସୁପାରିଶ କରିସାରିଛନ୍ତି। ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି, କିନ୍ତୁ ତଦନ୍ତ ଆଦେଶ ଦିଆଯାଇ ନାହିଁ। ଯଦି ତଦନ୍ତ ସଠିକ ଦିଗରେ ଆଗାଏ, ତେବେ କମଳ ଧୋଉ ଧୋଉ କମ୍ୱଳ ନିର୍ବାଳ ପରି କଥା ହୋଇଯିବ।
ଏବେ ଆସିବା ସବୁ ଜାଣି ମଧ୍ୟ ବିଭିନ୍ନ ଦୁର୍ନୀତି ଅଭିଯୁକ୍ତଙ୍କୁ ନବୀନ ଟିକଟ ଦେଲେ କାହିଁକି?
ଗିରଫ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଟିକଟ ଦିଆଯାଇ ନାହିଁ କି ତାଙ୍କ ସମ୍ପର୍କୀୟ ଟିକଟ ପାଇ ନାହାନ୍ତି। ଅଥଚ ପ୍ରଭାତ ତ୍ରିପାଠୀ ଏବଂ ପ୍ରଭାତ ବିଶ୍ୱାଳଙ୍କ ପୁଅ ଟିକଟ ପାଇଛନ୍ତି ବାଙ୍କୀ ଓ କଟକ-ଚୌଦ୍ୱାରରୁ। ଅନ୍ୟ ଯେଉଁମାନଙ୍କର ନାମ ସିବିଆଇ ତାଲିକାରେ ଅଛି, ସେମାନଙ୍କୁ ମଧ୍ୟ ଲୋକସଭା ଏବଂ ବିଧାନସଭା ପାଇଁ ଟିକଟ ମିଳିଛି। କାହିଁକି ଏପ୍ରକାର ନିଷ୍ପତ୍ତି ନେଲେ ନବୀନ?
ସେଥିପାଇଁ ଯଦି. କିନ୍ତୁ . ଏବଂ ପରନ୍ତୁ. ଉପରେ ଅଧିକ ନିର୍ଭର କରିଛନ୍ତି ନବୀନ ପଟ୍ଟନାୟକ। ନିର୍ବାଚନ ପରେ ବିଜେଡି କିଙ୍ଗ୍ ମେକର ହେବ କହି ନବୀନ ନିଜର ମନୋଭାବକୁ ସ୍ପଷ୍ଟ କରିଛନ୍ତି। ଅର୍ଥାତ ନବୀନ ଆଶା କରୁଛନ୍ତି ଯେ, କେନ୍ଦ୍ରରେ ଏଥର ଏନଡିଏ ପୂର୍ଣ୍ଣ ବହୁମତ ପାଇବ ନାହିଁ। ଖେଚୁଡ଼ୀ ସରକାର ହେବ। ଏଇଠୁ ଆରମ୍ଭ ଯଦି କେନ୍ଦ୍ରରେ ମେଣ୍ଟ ସରକାର ହୁଏ, ତେବେ ଏଥିରେ ବିଜେଡି ସାମିଲ ହେବ। ଯଦି ବିଜେଡି ସାମିଲ ହୁଏ, ତେବେ ସିବିଆଇ ତଦନ୍ତରେ ଡୋରି ଲାଗିଯିବ। ଯଦି ଖେଚୁଡ଼ୀ ସରକାର ହୁଏ, ତେବେ ଆଉ ଖଣି କି ବ୍ଲାକରୋଜ କଥା ଉଠିବ ନାହିଁ। ଯଦି ପୁନର୍ବାର ନବୀନ କ୍ଷମତାକୁ ଆସନ୍ତି, ତେବେ ସିବିଆଇ ତାଲିକାଭୁକ୍ତ ବିଧାୟକ କି ମନ୍ତ୍ରୀମାନେ ଆଉ ଘୋଷଡ଼ା ହେବେ ନାହିଁ ବୋଲି ଭାବି ନେଇଛନ୍ତି ନବୀନ।
ଏହାସବୁ କଳ୍ପନାର ଗଣିତ। ଯଦି କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଯାଏ ଏବଂ ଯଦି ରାଜ୍ୟରେ ବିଜୁ ଜନତା ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନପାରେ, ସେତେବେଳେ କି ପ୍ରକାର ରାଜନୈତିକ ଅବସ୍ଥା ନବୀନ ଏବଂ ବିଜୁ ଜନତା ଦଳର ହେବ, ତାହା ନବୀନ ବିଚାରକୁ ନେଇଛନ୍ତି କି ନାହିଁ, ତାହା ଅଜଣା। ତେଣୁ ଯେକୌଣସି ଦିଗକୁ ରାଜନୀତି କଡ଼ ଲେଉଟାଇପାରେ।
ଯଦି ନବୀନଙ୍କ ଇଚ୍ଛା ବା କଳ୍ପନା ମୁତାବକ କେନ୍ଦ୍ରରେ ମୋଦୀ କି ରାହୁଲ ତାଙ୍କ ସରକାର ଗଠନ ପାଇଁ ସମର୍ଥନ ଲୋଡ଼ନ୍ତି ତେବେ ତ ଅତ୍ୟନ୍ତ ସୁବିଧାରେ ରହିବେ ସିବିଆଇ ତାଲିକାଭୁକ୍ତ ବିଜେଡି ନେତାମାନେ। ନିଜେ ନବୀନ ମଧ୍ୟ ବର୍ତ୍ତିଯିବେ ସିବିଆଇ ଯାଞ୍ଚରୁ। ଯଦି ରାଜ୍ୟରେ ଖେଚୁଡ଼ୀ ସରକାର ହୋଇଯାଏ, ତେବେ ଭିନ୍ନ ଏବଂ ବିଚିତ୍ର ସ୍ଥିତି ଉପୁଜିବ ନବୀନଙ୍କ ପାଇଁ। ଆଉ ଅଭିଯୁକ୍ତଙ୍କୁ କୋଳେଇବା ସମ୍ଭବ ହେବ ନାହିଁ।
ପୁଣି ସେହି କିନ୍ତୁ। ଯଦି କେନ୍ଦ୍ରରେ ମୋଦୀ ସରକାର ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଆସନ୍ତି ଏବଂ ରାଜ୍ୟରେ ମେଣ୍ଟ ସରକାର ଗଠନର ସମ୍ଭାବନା ସୃଷ୍ଟି ହୁଏ, ତେବେ ନବୀନଙ୍କ ପରିସ୍ଥିତି କ'ଣ ହେବ, ବିଜୁ ଜନତା ଦଳର କେହି କଳ୍ପନା କରିଛନ୍ତି କି?
ଆହୁରି ଏକ ବଡ଼ ପ୍ରଶ୍ନ ତାଙ୍କ ସ୍ୱାସ୍ଥ୍ୟକୁ ନେଇ। ଅର୍ନ୍ତଦ୍ୱନ୍ଦ୍ୱ ଏବଂ ଅସନ୍ତୋଷ ଭରା ବିଜୁ ଜନତା ଦଳ ଯେକୌଣସି କେନ୍ଦ୍ରୀୟ ଚାପରେ ଖଣ୍ଡ ବିଖଣ୍ଡିତ ହୋଇଯିବା ବିଚିତ୍ର ନୁହେଁ।

No comments:

Post a Comment