Welcome To BN News . Always With Common People .

Breaking

Tuesday 4 February 2020

ବେଆଇନ ମଣ୍ଡପ କାର୍ଯ୍ୟାନୁଷ୍ଠାନ ଆରମ୍ଭ : ୮ଟିରେ ପଡ଼ିଲା ତାଲା, ବୁକ୍‌ କରିଥିବା ଲୋକଙ୍କ ମୁଣ୍ଡରେ ଚଡ଼କ


ଭୁବନେଶ୍ବର : ଆଜିଠାରୁ ବିଏମ୍‌ସି/ବିଡିଏ/କମିସନରେଟ୍ ପୁଲିସ ପକ୍ଷରୁ ବେଆଇନ କଲ୍ୟାଣ ମଣ୍ଡପ ସିଲ୍‌ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୮ଟି କଲ୍ୟାଣ ମଣ୍ଡପ/ବିବାହ ମଣ୍ଡପ ସିଲ୍‌ କରାଯାଇଛି। ଉତ୍ତର ଜୋନ୍‌ରେ ୫ଟି, ଦକ୍ଷିଣ ପଶ୍ଚିମ ଜୋନ୍‌ରେ ୨ଟି ଏବଂ ଦକ୍ଷିଣ-ପୂର୍ବ ଜୋନ୍‌ରେ ଗୋଟିଏ କଲ୍ୟାଣ ମଣ୍ଡପ ସିଲ୍‌ କରାଯାଇଛି। ବିଏମ୍‌ସି ପକ୍ଷରୁ ଆଜି ଉତ୍ତର ଜୋନ୍‌ରେ ପଟିଆସ୍ଥିତ ଋଷି ‌ରିସୋର୍ଟ, ସାମନ୍ତପୁରରେ ଥିବା ପଣ୍ଡିତ ନୀଳକଣ୍ଠ କଲେଜ୍ ଅଫ୍ ଲାଇବ୍ରେରି ଆଣ୍ଡ ଇନଫରମେସନ୍ ସାଇନ୍ସ ମଣ୍ଡପ, ଗଜପତି ନଗରରେ ଥିବା ଆତ୍ମାରାମ ମଣ୍ଡପ, ସୈନିକ ସ୍କୁଲ ଛକ ନିକଟରେ ଥିବା ଜେବି ବିବାହ ମଣ୍ଡପ, ପ୍ରେସ୍‌ ଛକ ନିକଟରେ ଥିବା ଆର୍‌ସିଏମ୍ ମାର୍କେଟ୍ କମ୍ପ୍ଲେକ୍ସକୁ ସିଲ୍ କରାଯାଇଛି। ସେହିପରି ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ଥିବା ଖଣ୍ଡଗିରିସ୍ଥିତ ସାଇ ଗାର୍ଡେନ, ବରମୁଣ୍ଡାରେ ଥିବା ଚନ୍ଦନ ଲଜ୍, ଦକ୍ଷିଣ-ପୂର୍ବ ଜୋନ୍‌ରେ ସହିଦନଗରସ୍ଥିତ ପାଲାଡିୟମ କୋର୍ଟୟାର୍ଡ କଲ୍ୟାଣ ମଣ୍ଡପ ସିଲ୍‌ ହୋଇଛି।
ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀରେ ୯୪ଟି କଲ୍ୟାଣ ମଣ୍ଡପ/ ବିବାହ ମଣ୍ଡପ ଥିବାବେଳେ ସମସ୍ତଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଥିଲା। କଲ୍ୟାଣ ମଣ୍ଡପ ଖୋଲିବା ପାଇଁ ଯେଉଁ ପ୍ରକାରର ଭିତ୍ତିଭୂମି ଦରକାର, ଯେଉଁ ନିୟମ ମାନିବା ଦରକାର ସେଗୁଡ଼ିକ ନଥିବାରୁ ସମସ୍ତ କଲ୍ୟାଣ ମଣ୍ଡପକୁ କାହିଁକି ସିଲ୍ କରାନଯିବ ସେନେଇ କାରଣ ଦର୍ଶାଅ ନୋଟିସ୍ ହୋଇଥିଲା। ଡିସେମ୍ବର ୨୪, ୨୦୧୯ରେ ଏହି ନୋଟିସ୍ କରି ଜାନୁଆରି ୩୧,୨୦୨୦ ପର୍ଯ୍ୟନ୍ତ ମହଲତ ଦିଆଯାଇଥିଲା। ଏହି ସମୟରେ ୧୪ଟି କଲ୍ୟାଣ ମଣ୍ଡପ ଆଂଶିକ ନିୟମ ମାନିଥିବା ଏବଂ ଭିତ୍ତିଭୂମି ଥିବା ଜଣାଇଥିଲେ। ତେଣୁ ସେଗୁଡ଼ିକୁ ନିୟମିତ କରିବା ପାଇଁ କୁହାଯାଇଥିଲା। ବାକି ୮୦ଟି କଲ୍ୟାଣ ମଣ୍ଡପ ସିଲ୍‌ କରିବାକୁ ଅଭିଯାନ ଆରମ୍ଭ ହୋଇଛି। ଏହି ସବୁ କଲ୍ୟାଣ ମଣ୍ଡପରେ ଯେଉଁମାନେ ବିବାହ କିମ୍ବା କୌଣସି କାର୍ଯ୍ୟ ପାଇଁ ବୁକିଂ କରିଛନ୍ତି ସେମାନଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି।
ସୂଚନାଯୋଗ୍ୟ ଯେ, ବିନା ବିଲଡିଂ ପ୍ଲାନ୍ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ୍ ଲାଇସେନ୍ସରେ ବ୍ୟବସାୟ କରିବା, ହୋଲଡିଂ ଟିକସ ଫାଙ୍କିବା, ପାର୍କିଂ ସୁବିଧା ନଥିବା ଭଳି ଅଭିଯୋଗ ୮୦ଟି କଲ୍ୟାଣ ମଣ୍ଡପ ନାମରେ ଅଛି।

No comments:

Post a Comment