Welcome To BN News . Always With Common People .

Breaking

Tuesday 4 February 2020

ଇତିହାସ ରଚିଲା ଏସସିବି : କଟକ ବଡ଼ ଡାକ୍ତରଖାନାରେ ବିରଳ ଅସ୍ତ୍ରୋପଚାର, ରୋଗୀଙ୍କଠାରେ ଲାଗିଲା ମୃତ ଯୁବତୀଙ୍କ କିଡନୀ

କଟକ: ରାଜ୍ୟର ଚିକିତ୍ସା କ୍ଷେତ୍ରରେ ଇତିହାସ ରଚିଛି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲ୍ । କଟକ ବଡ ମେଡିକାଲରେ ଓଡ଼ିଶାର ପ୍ରଥମ କାଡଭାରିକ ଟ୍ରାନ୍ସପ୍ଲାଂଟ୍ କରାଯାଇଛି । ଗତ ରାତିରେ ଭୁବନେଶ୍ୱରରୁ ଜଣେ ମୃତ ରୋଗୀଙ୍କ ଠାରୁ କିଡନୀ ଅଣାଯାଇ କଟକ ଏସସିବିରେ କିଡନୀ ହରାଇଥିବା ରୋଗୀଙ୍କଠାରେ ଆଜି ପ୍ରତିରୋପଣ କରାଯାଉଛି । ଏସସିବିର ଏକ ବିଶେଷଜ୍ଞ ଦଳ ଆଜି ପ୍ରତ୍ୟୁଷରେ କିଡନୀ ପ୍ରତିରୋପଣ କରିଥିବା ସୂଚନା ମିଳିଛି । କିଡନୀ ହରାଇଥିବା ଜଣେ ରୋଗୀଙ୍କ ଜୀବନ ବଂଚାଇବାକୁ ଜଣେ ମୃତ ଯୁବତୀଙ୍କ କିଡନୀକୁ ଆଣି ପ୍ରତିରୋପଣ କରାଯାଇଛି । ଏହି ପ୍ରତିରେୋପଣ ଓଡ଼ିଶା ଚିକିତ୍ସା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି ।
ଜଣେ ମୃତ ବ୍ୟକ୍ତିଙ୍କ ଅଙ୍ଗକୁ ଅନ୍ୟ ଜଣଙ୍କ ଶରୀରରେ ପ୍ରତିରୋପଣ କରିବା ଚିକିତ୍ସାକୁ ଡାକ୍ତରୀ ଭାଷାରେ 'କାଡଭାରିକ ଟ୍ରାନ୍ସପ୍ଲାଂଟ୍' କୁହାଯାଇଥାଏ। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ସଦ୍ୟମୃତ ଘୋଷିତ ଜଣେ ଯୁବତୀଙ୍କ କିଡନୀକୁ କଢ଼ାଯାଇ ତାହାକୁ ଏସସିବିକୁ ଆଣି ଦୀର୍ଘ ସାଢ଼େ ତିନି ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇ ଏହି ପ୍ରତିରୋପଣ ହୋଇଛି। ଆଜି ସକାଳ ୮.୩୦ ପାଖାପାଖି ଏହି କ୍ଲୀଷ୍ଟ ଚିକିତ୍ସା ପ୍ରକ୍ରିୟା 'କାଡଭାରିକ ଟ୍ରାନ୍ସପ୍ଲାଂଟ୍' ସଂପୂର୍ଣ୍ଣ ହୋଇଛି।

ଦୁର୍ଘଟଣାରେ ଦିଗପହଣ୍ଡି ଅଂଚଳର ପ୍ରିୟଙ୍କା ପାତ୍ର ନାମ୍ନୀ ୨୨ ବର୍ଷୀୟ ଯୁବତୀ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ । ତେବେ ୨୭ ତାରିଖରେ ପ୍ରିୟଙ୍କାଙ୍କ ବ୍ରେନ ଡେଡ୍ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ ଚିକିତ୍ସା କରୁଥିବା ଡାକ୍ତର । ପରିବାର ଲୋକ ଯୁବତୀଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ଜାଣିବା ପରେ ଜଣେ କିଡନୀ ହରାଇଥିବା ରୋଗୀଙ୍କୁ ବଂଚାଇବାକୁ ପଦକ୍ଷେପ ନିଆଯାଇଥିଲେ ଏସସିବିର ବିଶେଷଜ୍ଞ ଡାକ୍ତରୀ ଦଳ ।

ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ବ୍ରେନଡେଡ୍ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଏହି ରୋଗୀଙ୍କ କିଡନୀ ଏସସିବିରେ ଚିକିତ୍ସିତ ହେଉଥିବା ଆଉ ଜଣେ ରୋଗୀଙ୍କଠାରେ ଲାଗିବା ନିଷ୍ପତ୍ତି ହେବା ପରେ ଏଥିଲାଗି ସ୍ବାସ୍ଥ୍ୟ ବିଭାଗର ଡିଏମଇଟି ଓ ଯୁଗ୍ମ-ଡିଏମଇଟିଙ୍କ ଅନୁମତି ଆବଶ୍ୟକ ପଡ଼ୁଥିବାରୁ ଜରୁରୀକାଳୀନ ଭାବେ ସେଥିଲାଗି ଆବେଦନ କରାଯାଇଥିଲା। ଏସସିବିର କାଡଭାରିକ ଟ୍ରାନ୍ସପ୍ଲାଂଟ୍ ସେଣ୍ଟରର ନୋଡାଲ ଅଫିସର ତଥା ନେଫ୍ରୋଲୋଜି ବିଭାଗର ପ୍ରଫେସର ଡା.ଚିତ୍ତରଞ୍ଜନ କରଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ରାତି ପ୍ରାୟ ୩.୩୦ ମିନିଟରେ ପ୍ରତିରୋପଣ ଲାଗି ସରକାରୀ ଅନୁମତି ମିଳିବା ପରେ ସକାଳ ୫.୧୫ ମିନିଟରେ ଅପରେସନ୍ ଆରମ୍ଭ ହୋଇଥିଲା। ୟୁରୋଲୋଜି ବିଭାଗର ପ୍ରଫେସର ଡା.ଦତ୍ତେଶ୍ବର ହୋତାଙ୍କ ଅଧିନରେ ଗଠିତ ଏକ ୫ ଜଣିଆ ଡାକ୍ତରୀ ଟିମ୍ ପ୍ରତିରୋପଣ ଲାଗି ଅପରେସନ୍ କରିଥିଲେ। ଦୀର୍ଘ ସାଢ଼େତିନିଘଣ୍ଟାରେ ଅପରେସନ୍ ପରେ କିଡନୀ ପ୍ରତିରୋପଣ ଶେଷ ହୋଇଥିଲା। ଏହି ବିରଳ ଅସ୍ତ୍ରୋପଚାର ଏସସିବି ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି।
ରାଜ୍ୟରେ କାଡଭାରିକ ଟ୍ରାନ୍ସପ୍ଲାଂଟ୍ ଆରମ୍ଭ କରିବାକୁ ସରକାର କିଛି ଦିନ ତଳେ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କଟକ ବଡ ମେଡିକାଲକୁ ନୋଡାଲ ସେଂଟର କରାଯାଇଛି, ଆଉ ପ୍ରଥମ କାଡଭାରିକ ଟ୍ରାନ୍ସପ୍ଲାଂଟ ଆଜି ସଂପନ୍ନ ହୋଇଛି।

No comments:

Post a Comment