Welcome To BN News . Always With Common People .

Breaking

Sunday 16 February 2020

ଭିଜିଲାନ୍ସ ହାତରେ ପୁଲିସ ଏଏସ୍ଆଇ: ତିନି ହଜାର ଟଙ୍କା ଲାଞ୍ଚ ନେଇ ଗିରଫ


ପୁରୀ: ପୁଣି ଖାକିରେ ଲାଗିଲା କଳଙ୍କ। ଜଣଙ୍କୁ କେଶରେ ଗୁନ୍ଥି ବାନ୍ଧି ଦେବାକୁ ଧମକ ଦେଇ ତାଙ୍କ ଠାରୁ ତିନି ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ ହାତରେ ଜଣେ ପୁଲିସ ଏଏସ୍ଆଇ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍‌ ଟାଉନ ଥାନା ପଛପଟୁ ଏହି ଏଏସ୍ଆଇ ବାବୁଙ୍କୁ ଧରିନେଇଛନ୍ତି। ଖବର ନେବାରେ ଜଣାପଡ଼ିଛି ଯେ ଟାଉନ ଥାନାର ଏଏସ୍ଆଇ ବିରଞ୍ଚି ରାଉଳ ତଦନ୍ତ ଦାୟିତ୍ବ ନେଇଥିବା ଏକ ମାମଲାରେ ମାର୍କଣ୍ଡେଶ୍ବର ସାହିର ବିଜୟ ଖୁଣ୍ଟିଆଙ୍କୁ ଗିରଫ କରିବାକୁ ଧମକ ଦେଇଥିଲେ। ପ୍ରକୃତରେ ଏହି ମାମଲାରେ ବିଜୟଙ୍କର କୌଣସି ପ୍ରକାର ସମ୍ପୃକ୍ତି ନଥିବା ବେଳେ ତାଙ୍କୁ ଏହି ମାମଲାରେ ଗିରଫ କରିବାକୁ ଏଏସ୍ଆଇ ବିରଞ୍ଚି ଧମକ ଦେବାରୁ ସେ ବାଧ୍ୟ ହୋଇ ଭିଜିଲାନ୍ସ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିଥିଲେ।
ପୁରୀ ଭିଜିଲାନ୍ସ ଡିଏସ୍‌ପି ହରନାରାୟଣ ପତି, ଇନ୍‌ସ୍ପେକ୍ଟର ମଦନ ପ୍ରଧାନଙ୍କ ସହାୟତାରେ ବିଜୟ ଟାଉନ ଥାନାକୁ ଯାଇଥିଲେ। ବିଜୟଙ୍କୁ ଏଏସ୍ଆଇ ବିରଞ୍ଚି ରାଉଳ ତାଙ୍କୁ ଥାନା ପଛପଟକୁ ଡାକିଥିଲେ। ସେଠାରେ ବିଜୟଠାରୁ ୩ ହଜାର ଟଙ୍କା ଏଏସ୍ଆଇ ରାଉଳ ନେବା ସମୟରେ ସେଠାରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଥିଲେ। ଭିଜିଲାନ୍ସ ଟିମ୍‌କୁ ଦେଖି ଏଏସ୍ଆଇ ରାଉଳ ଟଙ୍କାକୁ ଅନ୍ଧାରରେ କେଉଁଠାରେ ଫିଙ୍ଗି ଦେଇଥିଲେ। ତେବେ ଭିଜିଲାନ୍ସ ଟିମ୍‌ ସେଠାରୁ ଏଏସ୍ଆଇ ରାଉଳ ଓ ଜଣେ ହୋମ୍‌ଗାର୍ଡକୁ ଧରିନେଇଥିଲେ। ଏଏସ୍ଆଇ ରାଉଳଙ୍କ ହାତକୁ ରସାୟନଯୁକ୍ତ ପାଣିରେ ଧୋଇବାରେ ଏହା ରଙ୍ଗିନ ହୋଇଯାଇଥିଲା।
ଏହି ଘଟଣାର ତଦନ୍ତରେ ଜଣାପଡ଼ିଛି ଯେ ବିଜୟଙ୍କ ଘରେ ଜଣେ ମହିଳା ଭଡ଼ାରେ ରହୁଥିଲେ। କିଛି ଦିନ ପୂର୍ବେ ବିଜୟ ତାଙ୍କର ଏହି ଭଡ଼ା ଘରକୁ ମରାମତି କରିବା ପାଇଁ ମିସ୍ତ୍ରୀ ଡକାଇଥିଲେ। ଏହି ମହିଳାଙ୍କର ଜିନିଷପତ୍ର ରଖିଥିବା ଘରକୁ ମରାମତି କରାଯାଇଥିଲା। ତେବେ ସମ୍ପୃକ୍ତ ମହିଳାଙ୍କ ଅନୁପସ୍ଥିତର ସୁଯୋଗ ନେଇ ମିସ୍ତ୍ରୀ ଓ ଲେବର ଏକ ସୁନା କାନଫୁଲ ଓ ଝିଙ୍କା ଚୋରି କରିନେଇଥିଲେ। ମହିଳା ଜଣକ ତାଙ୍କର ସୁନା ଅଳଙ୍କାର ନପାଇବାରୁ ସେ ବିଜୟଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଏହାର ତଦନ୍ତ ଦାୟିତ୍ବ ଏଏସ୍ଆଇ ବିରଞ୍ଚି ରାଉଳଙ୍କୁ ଦିଆଯାଇଥିଲା।
ତଦନ୍ତ ସମୟରେ ଏହି ଗହଣାକୁ ମିସ୍ତ୍ରୀ ଓ ମୁଲିଆ ଲୁଟିଥିବା ଜଣାପଡ଼ିବା ପରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏବଂ ସେମାନେ ଏହି ଅଳଙ୍କାରକୁ ବିକି ଯେଉଁ୨୦ ହଜାର ଟଙ୍କା ଆଣିଥିଲେ, ପୁଲିସ ଏହି ଟଙ୍କାକୁ ଜବତ କରି ମହିଳାଙ୍କ ଜିମାରେ ଦେଇଥିଲେ। ମାତ୍ର ଏହି ଚୋରି ଘଟଣାରେ ବିଜୟଙ୍କର କୌଣସି ସମ୍ପୃକ୍ତି ନଥିବା ବେଳେ ତାଙ୍କୁ ଏଏସ୍ଆଇ ରାଉଳ ଡକାଇ ଖର୍ଚ୍ଚପାଣି ମାଗିଥିଲେ। 'ତୋ ବିରୁଦ୍ଧରେ ଲିଖିତ ଅଭିଯୋଗ ଅଛି ତେଣୁ ତୋତେ ବାନ୍ଧିବି' ବୋଲି କହି ବିଜୟଙ୍କୁ ଧମକ ଦେଇଥିଲେ। ଏହି ମାମଲାରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ବିଜୟ କହିଥିଲେ ମଧ୍ୟ, ଏଏସ୍ଆଇ ରାଉଳ ତାଙ୍କୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେଣୁ ବାଧ୍ୟ ହୋଇ ବିଜୟ ଭିଜିଲାନ୍ସ ଅଫିସକୁ ଯାଇ ସେଠାରେ ଅଭିଯୋଗ କରିବାରୁ ଭିଜିଲାନ୍ସ ଟିମ୍ ଆଜି ଚଢ଼ଉ କରି ଏଏସ୍ଆଇ ବିରଞ୍ଚି ରାଉଳଙ୍କୁ ଗିରଫ କରିଛନ୍ତି।

No comments:

Post a Comment