Welcome To BN News . Always With Common People .

Breaking

Sunday 7 April 2019

ମମତାଙ୍କ ପକ୍ଷପାତିତା ଅଭିଯୋଗର ଜବାବ ଦେଲେ ନିର୍ବାଚନ କମିସନ

ପଶ୍ଚିମବଙ୍ଗର ୪ ପୁଲିସ ଅଧିକାରୀଙ୍କ ବଦଳି ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରିଥିବା ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ନିର୍ବାଚନ କମିସନ୍‌ (ଇସି)। ଅଯଥାରେ ଅଭିଯୋଗ ନ କରିବାକୁ ନିର୍ବାଚନ କମିସନ୍ ମମତାଙ୍କୁ କହିଛନ୍ତି। ଇସିଙ୍କ ପକ୍ଷରୁ କୁହାଯାଇଛି, ନିର୍ବାଚନକୁ ଦୃଷ୍ଟିରେ ରଖି କମିସନ୍‌ ସବୁବେଳେ ନିରପେକ୍ଷତା ଅବଲମ୍ବନ କରି ଆସିଛନ୍ତି।
ଶୁକ୍ରବାର ପଶ୍ଚିମବଙ୍ଗର ୪ ପୁଲିସ ଅଧିକାରୀଙ୍କୁ ନିର୍ବାଚନ କମିସନ ବଦଳି କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ କେନ୍ଦ୍ରର ନିର୍ଦ୍ଦେଶକ୍ରମେ ନିର୍ବାଚନ କମିସନ ଏଭଳି ପଦକ୍ଷେପ ନେଇଛନ୍ତି।
ମମତା ନିର୍ବାଚନ କମିସନଙ୍କୁ ଚିଠି ଲେଖି କହିଥିଲେ ଯେ ପୁଲିସ୍ ଅଧିକାରୀଙ୍କୁ ବଦଳି କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାରଙ୍କ ଇସାରାରେ ନିର୍ବାଚନ କମିସନ ଏପରି ବଦଳି କରୁଛନ୍ତି। ଏମିତିକି ନିର୍ବାଚନ କମିସନଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଥିଲେ ମମତା ବାବାର୍ଜୀ। ଏହା ସହିତ ଏହି ୪ ପୁଲିସ୍ ଅଧିକାରୀଙ୍କ ବଦଳିର ପୁନର୍ବିଚାର କରିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଥିଲେ। ଯଦି ରାଜ୍ୟରେ ଆଇନ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ, ତା'ହାଲେ ସେଥିପାଇଁ ନିର୍ବାଚନ କମିସନ ଦାୟୀ ରହିବେ କି ବୋଲି ମମତା ପ୍ରଶ୍ନ କରିଥିଲେ। ବିଜେପି ନେତାଙ୍କ ଅଭିଯୋଗ ଓ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ କମିସନ୍ ଏପରି ନିଷ୍ପତ୍ତି ନେଇଥିବା ମମତା ଅଭିଯୋଗ କରିଛନ୍ତି।
ସେ କହିଛନ୍ତି,"ଯଦି ବିଜେପି ଭାବୁଛି, ପୁଲିସ୍‌ ଅଧିକାରୀଙ୍କୁ ବଦଳି କରି ମୋତେ ନିର୍ବାଚନ ବେଳେ ଦୁର୍ବଳ କରିଦେବ, ତା'ହେଲେ ଏହା ସଂପୂର୍ଣ୍ଣ ଭୁଲ।"
ସୂଚନାଯୋଗ୍ୟ, ଶୁକ୍ରବାର ନିର୍ବାଚନ କମିସନ କୋଲକାତା ପୁଲିସ୍‌ କମିସନର ଅନୁଜ ଶର୍ମା ଓ ବିଧାନନଗର ପୁଲିସ୍‌ କମିସନରଙ୍କ ସମେତ ୨ ଜଣ ଏସଆଇଙ୍କୁ ବଦଳି କରିଥିଲେ। ବଦଳି ହୋଇଥିବା ପୁଲିସ ଅଧିକାରୀ ମମତାଙ୍କ ଦଳୀୟ କର୍ମୀ ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ସିପିଆଇ(ଏମ୍‌) ଓ ବିଜେପି ସମେତ ଅନ୍ୟାନ୍ୟ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲେ।

No comments:

Post a Comment