Welcome To BN News . Always With Common People .

Breaking

Saturday 30 March 2019

ଜୟପୁରରେ ବିଜେଡି ଉପରେ ବର୍ଷିଲେ ମୋଦି: ଖଣି, ଚିଟ୍‌ଫଣ୍ଡ ପ୍ରସଙ୍ଗରେ ଟାର୍ଗେଟ

ଓଡ଼ିଶାରେ ପ୍ରକୃତିଦତ୍ତ ଅପାର ସମ୍ପଦ ଥାଇ ମଧ୍ୟ ଏଠିକାର ଲୋକେ ଗରିବ। ଖଣି ଓ ଚିଟ୍‌ଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ଦଳ ଓଡ଼ିଶାରେ ଦୃଢ଼ ସରକାର ଦେଇପାରିବେ କି ବୋଲି ଦକ୍ଷିଣ ଓଡ଼ିଶାବାସୀଙ୍କ ଆଗରେ ପ୍ରଶ୍ନ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋରାପୁଟ ଜିଲା ଜୟପୁରରେ ଶୁକ୍ରବାର ପ୍ରଥମ ନିର୍ବାଚନୀ ପ୍ରଚାର ସଭା ଅବସରରେ ମୋଦି ଖଣି, ଚିଟ୍‌ଫଣ୍ଡ, ନାରୀ ନିର୍ଯାତନା, ଆୟୂଷ୍ମାନରେ ଓଡ଼ିଶା ସାମିଲ ନ ହେବା, କାଳିଆ ଯୋଜନା ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟର ବିଜେଡି ସରକାର ଓ ଅନ୍ୟ ବିରୋଧୀ ଦଳ ଉପରେ ଭୀଷଣ ବର୍ଷିଛନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ମୋଦି ପ୍ରଥମଥର ପାଇଁ ବିଜେଡି ସରକାରକୁ ଏଭଳି ଖୋଲାଖୋଲି ଟାର୍ଗେଟ୍‌ କରିଛନ୍ତି। ଆଦିବାସୀଙ୍କ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଲାଭର ୧ ପ୍ରତିଶତ ଅନୁଦାନ ଭାବେ ଓଡ଼ିଶାର ଜିଲା ମିନେରାଲ ଫଣ୍ଡକୁ ୬୫୦୦ କୋଟି ଟଙ୍କା ଦିଆଯାଇଥିଲା। କିନ୍ତୁ ରାଜ୍ୟ ସରକାର ମାତ୍ର ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିପାରିଛନ୍ତି। ଗରିବ ନିଜ ଝାଳବୁହା ଅର୍ଥ ଚିଟ୍‌ଫଣ୍ଡରେ ବାନ୍ଧି ସର୍ବସ୍ବାନ୍ତ ହୋଇଛନ୍ତି। ରାଜ୍ୟ ସରକାର ଖଣି ମାଫିଆ ଓ ଚିଟ୍‌ଫଣ୍ଡ ସଂସ୍ଥା ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଗତ ୧୯ ବର୍ଷରେ ରାଜ୍ୟ ସରକାରଙ୍କ ବିଫଳତା ଓ ୫ ବର୍ଷରେ କେନ୍ଦ୍ର ଭାଜପା ସରକାରଙ୍କ ସଫଳତାର ଫର୍ଦ୍ଦ ସଭାରେ ଉପସ୍ଥାପନ କରିଛନ୍ତି ମୋଦି। ଓଡ଼ିଶାରେ ପରିବର୍ତ୍ତନ ଦରକାର। ସେଥିପାଇଁ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାରଙ୍କ ଡବଲ ଇଞ୍ଜିନ ଆଣିବା ପାଇଁ ଅବିଭକ୍ତ କୋରାପୁଟର ମତଦାତାଙ୍କୁ ସେ ଆହ୍ବାନ ଦେଇଛନ୍ତି।
ଜୟପୁର ନିକଟସ୍ଥ ଏକମ୍ବା ପଞ୍ଚାୟତର ବାଙ୍କବିଜ ପଡ଼ିଆରେ ଆୟୋଜିତ ଭାଜପାର ବିଜୟ ସଂକଳ୍ପ ସମାବେଶରେ ପ୍ରଥମେ ପଦ୍ମଶ୍ରୀ କମଳା ପୂଜାରୀ ମଞ୍ଚ ଉପରକୁ ଯାଇ ମୋଦିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କମଳାଙ୍କୁ ସମ୍ମାନ ଜଣାଇ ମୋଦି କହିଥିଲେ, ମା' କମଳାଙ୍କ ଆଶୀର୍ବାଦ କମଳକୁ ମିଳିଗଲେ ଶକ୍ତି ଆହୁରି ବଢ଼ିବ। ରାଜ୍ୟରେ ମଧ୍ୟ ପଦ୍ମ ଫୁଟିବ। ସମାବେଶକୁ ସମ୍ବୋଧିତ କରି ମୋଦି ପ୍ରଥମେ ଶହୀଦ ଲକ୍ଷ୍ମଣ ନାୟକ, ବିକ୍ରମଦେବ ମହାରାଜଙ୍କ ଭଳି ଅବିଭକ୍ତ କୋରାପୁଟ ଜିଲାର ଦିବଂଗତ ବରପୁତ୍ରମାନଙ୍କୁ ସ୍ମରଣ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କୁ ଚଇତି ପର୍ବର ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ, ଭାଜପା ସରକାର ୮ ଲକ୍ଷ ଗରିବ ପରିବାରକୁ ପକ୍କାଘର, ଉଜ୍ଜ୍ୱଳାରେ ୪୦ ଲକ୍ଷ ଘରକୁ ଗ୍ୟାସ୍‌ଚୁଲା, ୩ ହଜାର ଗାଁକୁ ବିଜୁଳି, ୨୪ ଲକ୍ଷ ଘରକୁ ବିଦ୍ୟୁତ ସଂଯୋଗ ଦେଇଛି। ଆଦିବାସୀଙ୍କ ବନଜାତ ଦ୍ରବ୍ୟର ଏମ୍‌ଏସ୍‌ପି ବୃଦ୍ଧି, ରାୟଗଡ଼ାରେ ନୂଆ ରେଳ ଡିଭିଜନ, ମାଲକାନଗିରି-ନବରଙ୍ଗପୁରକୁ ରେଳ ସମ୍ପ୍ରସାରଣ ଭଳି କାମ କରିଛି ଭାଜପା। ୫ ବର୍ଷରେ ମୋ' ସରକାରଙ୍କ ସଫଳତାର ଶ୍ରେୟ ଭାରତ ଏବଂ ଓଡ଼ିଶାବାସୀଙ୍କର। କିନ୍ତୁ କେନ୍ଦ୍ର ଆରମ୍ଭ କରିଥିବା ଆୟୂଷ୍ମାନ ଭଳି ଅନେକ ଯୋଜନାର ଲାଭ ଉଠାଇବା ଦିଗରେ ଓଡ଼ିଶାବାସୀଙ୍କୁ ବଞ୍ଚତ୍ତ କରିଛନ୍ତି ରାଜ୍ୟ ସରକାର। ଆୟୁଷ୍ମାନ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଦେଶର ୧୭ ଲକ୍ଷ ଲୋକ ଲାଭବାନ ହୋଇଥିବା ବେଳେ ଓଡ଼ିଶାର ଜଣେ ହେଲେ ଏହାର ସୁବିଧା ପାଇପାରି ନାହାନ୍ତି। ଅପାର ସମ୍ପଦ ଓ ପର୍ଯ୍ୟଟନ ସମ୍ଭାବନା ଥାଇ ମଧ୍ୟ ଏଠିକାର ଲୋକେ ରୋଜଗାର ପାଉନାହାନ୍ତି। ବିଜେଡିକୁ ସିଧାସଳଖ ଟାର୍ଗେଟ୍‌ କରି ସେ ପ୍ରଶ୍ନ କରିଛନ୍ତି, ରାଜ୍ୟ ସରକାରଙ୍କୁ ୧୦ ପାଦ ଚାଲିବାକୁ ୧୦ ମିନିଟ ଭାବିବାକୁ ପଡୁଛି। ଏଥିରେ ରାଜ୍ୟର ଅଗ୍ରଗତି କିପରି ହୋଇପାରିବ। କାଳିଆ ଯୋଜନାରେ ଗରିବ ଚାଷୀଙ୍କ ବଦଳରେ ଧନୀଲୋକଙ୍କୁ ସହାୟତା ଦିଆଯାଉଛି। ତେଣୁ ଗରିବ, ଚାଷୀ, ମହିଳା ବିରୋଧୀ ସରକାରଙ୍କୁ ରାଜ୍ୟରୁ ସେ ହଟାଇବା ପାଇଁ ଆହ୍ବାନ ଦେଇଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ରର କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ମୋଦି। ଭାରତର ସାମରିକ ଶକ୍ତି ବିଶ୍ୱ ଦରବାରରେ ପରିଚିତ କରାଇଛି ଓଡ଼ିଶା। ଜଗନ୍ନାଥଙ୍କ ମାଟି ଓଡ଼ିଶାରେ ହିଁ ସାମରିକ ଅସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। କିନ୍ତୁ ସେନାର ସଫଳତା ଓ ବୈଜ୍ଞାନିକଙ୍କ ଉପଲବ୍ଧିକୁ ସ୍ବୀକାର କରୁନାହାନ୍ତି ବିରୋଧୀ। ସେନା ଓ ବୈଜ୍ଞାନିକଙ୍କ ପ୍ରତି ଏଭଳି ଅପମାନର ଜବାବ ମତଦାତା ଦେବେ ନିଶ୍ଚୟ। ସେ ଆହୁରି କହିଛନ୍ତି ଯେ ସଚେତନ ଚୌକିଦାରଙ୍କୁ ହିଁ ଭ୍ରଷ୍ଟାଚାରୀ ଡରିବେ। ଆପଣଙ୍କ ପାଇଁ ଏ ଚୌକିଦାର ପ୍ରସ୍ତୁତ। ଏହାସହ ପିଲାଙ୍କୁ ଶିକ୍ଷା, ବୃଦ୍ଧଙ୍କୁ ପଥି, ଯୁବକଙ୍କୁ ରୋଜଗାର, ଚାଷୀଙ୍କୁ ଜଳସେଚନ ଓ ଜନତାଙ୍କ କଥା ଶୁଣିବା ଭଳି ଦେଶରେ ବିକାଶର ୫ ଧାରା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସମାବେଶରେ ଅବିଭକ୍ତ କୋରାପୁଟର ୨ ସଂସଦୀୟ କ୍ଷେତ୍ର ଓ ୧୪ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେ ମତଦାତାଙ୍କୁ ନିବେଦନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପ୍ରଭାରୀ ଅରୁଣ ସିଂ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ, ଭାଜପା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଜୟ ମହାପାତ୍ର, ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା ପ୍ରମୁଖ ମଞ୍ଚାସୀନ ଥିଲେ।

No comments:

Post a Comment