Welcome To BN News . Always With Common People .

Breaking

Saturday 30 March 2019

ପିଏନ୍‌ବି ମହାଠକେଇ ମାମଲା;ନୀରବ ମୋଦିଙ୍କୁ ମିଳିଲାନି ଜାମିନ


ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ପିଏନ୍‌ବି ମହାଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଏବେ ଜେଲ୍‌ରେ ରହିବେ। ସ୍ଥାନୀୟ ଓ୍ବେଷ୍ଟମିନିଷ୍ଟର କୋର୍ଟ ଶୁକ୍ରବାର ତାଙ୍କର ଦ୍ୱିତୀୟ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ବିଚାରପତି ମାମଲାକୁ ଅସାମାନ୍ୟ ଜାଲିଆତି ବୋଲି ଅଭିହିତ କରିଛନ୍ତି। 
ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟରେ ନୀରବଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଥିଲା। ଭାରତୀୟ ତଦନ୍ତ ଏଜେନ୍ସିଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ହୋଇଥିବା କ୍ରାଉନ ପ୍ରସିକ୍ୟୁଶନ ସର୍ଭିସର ବରିଷ୍ଠ ଓକିଲ ଟବି କ୍ୟାଡମ୍ୟାନ ଅଦାଲତକୁ ଜଣାଇଥିଲେ ଯେ, ନୀରବ ମୋଦି ଜଣେ ସାକ୍ଷୀ ଆଶିଷ ଲାଡ୍‌ଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୬ରେ ହେବ। ସେହିଦିନ ପର୍ଯ୍ୟନ୍ତ ମୋଦି ଲଣ୍ଡନ ଜେଲ୍‌ରେ ବନ୍ଦୀ ଜୀବନଯାପନ କରିବାକୁ ବାଧ୍ୟ ହେବେ। ନୀରବଙ୍କ ଜାମିନ ଆବେଦନକୁ ଖାରଜ କରି ବିଚାରପତି ଏମ୍ମା ଅର୍ବଥନଟ କହିଥିଲେ ଯେ, ପଳାତକ ହୀରା ବ୍ୟବସାୟୀଙ୍କୁ କାହିଁକି ଜାମିନ ଦିଆଯିବ ନାହିଁ ଏହାର ଯଥେଷ୍ଟ କାରଣ ରହିଛି। ତାଙ୍କର ଆମତ୍ସମର୍ପଣ କରିବା ନେଇ ସନ୍ଦେହ ରହିଛି। ନୀରବଙ୍କ ଜାମିନ ଆବେଦନକୁ ବିରୋଧ କରି କ୍ୟାଡମ୍ୟାନ କହିଥିଲେ ଯେ, ଜାମିନ ପାଇବା ମାତ୍ରେ ନୀରବ ଦେଶତ୍ୟାଗ କରିବାର ସମ୍ଭାବନା ରହିଛି।

ଏହାଛଡ଼ା ସେ ସାକ୍ଷ୍ୟପ୍ରମାଣ ନଷ୍ଟ କରିବା ତଥା ସାକ୍ଷୀଙ୍କୁ ଭୟଭୀତ କରିପାରନ୍ତି। ଅନ୍ୟପକ୍ଷରେ ନୀରବଙ୍କ ଓକିଲ ଯୁକ୍ତି ଦର୍ଶାଇ କହିଥିଲେ ଯେ, ତାଙ୍କ ମହକିଲ ଗତବର୍ଷ ଜାନୁୟାରୀରୁ ଲଣ୍ଡନରେ ରହିଛନ୍ତି। ସମସ୍ତେ ତାହା ଜାଣନ୍ତି। ସେ ଏହାକୁ ଲୁଚାଇବାକୁ ଚେଷ୍ଟା କରିନାହାନ୍ତି।

ଜାମିନ ପ୍ରଦାନ କରି ନୀରବଙ୍କୁ ଗୃହବନ୍ଦୀ ଅଥବା ଇଲେକ୍ଟ୍ରୋନିକ ସର୍ଭେଲାନ୍ସରେ ଅଧୀନରେ ମଧ୍ୟ ରଖାଯାଇପାରେ। ଏହାଛଡ଼ା ଦୈନିକ ସ୍ଥାନୀୟ ଥାନାରେ ହାଜର ହେବା ବ୍ୟବସ୍ଥା କରାଯିବା ସମ୍ଭବ। ତାଙ୍କୁ ସ୍ବତନ୍ତ୍ର ଧରଣର ଫୋନ ଦିଆଯାଇପାରେ, ଯାହାଦ୍ୱାରା କର୍ତ୍ତୃପକ୍ଷ ଯେକୌଣସି ସମୟରେ ସମ୍ପର୍କ ରକ୍ଷା କରିପାରିବେ। ସୂଚନାଥାଉ କି, ଗିରଫ ହେବା ମାତ୍ରେ ନୀରବ ପ୍ରଥମ ଜାମିନ ଆବେଦନ କରିଥିଲେ ଯାହା ଖାରଜ ହୋଇଯାଇଥିଲା।

No comments:

Post a Comment