Welcome To BN News . Always With Common People .

Breaking

Wednesday 19 February 2020

କାଳିଆ ଯୋଜନାରେ ଟଙ୍କା ନେଇ କୁଆଡ଼େ ଗଲେ ୮ ଲକ୍ଷ ଲୋକ ?



କୁଆଡ଼େ ଗଲେ କାଳିଆ ଯୋଜନାରେ ଟଙ୍କା ନେଇଥିବା ୮ ଲକ୍ଷ ୫ ହଜାର ଚାଷୀ? କାଳିଆ ହିତାଧିକାରୀଙ୍କୁ ନେଇ କୃଷିମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ହିସାବ ଏବେ ସରକାରଙ୍କୁ ହରଡ଼ଘଣାରେ ପକାଇଛି। ନଭେମ୍ବରରେ ଥିବା ୫୧ ଲକ୍ଷ ୫ ହଜାର ହିତାଧିକାରୀଙ୍କ ହିସାବ ଜାନୁଆରୀରେ ୪୭ ଲକ୍ଷକୁ କମିଥିବା ବେଳେ ଫେବୁଆରୀରେ ପୁଣି କମି ୪୩ ଲକ୍ଷ ହୋଇଯାଇଛି । ପ୍ରଶ୍ନ ଉଠିଛି ୮ ଲକ୍ଷ ୫ ହଜାର ଅଯୋଗ୍ୟ ହିତାଧିକାରୀ ସରକାରଙ୍କ ପାଖରୁ ଦୁଇଟି କିସ୍ତିରେ ୧୦ ହଜାର ଲେଖାଏଁ ହିସାବରେ ୮ ଶହ କୋଟି ଟଙ୍କା ନେଇଯାଇନାହାଁନ୍ତି ତ ?
କାଳିଆ ଯୋଜନାରେ କେତେ ଚାଷୀ ନେଇଛନ୍ତି ଟଙ୍କା? ୫୧ ଲକ୍ଷ ନା ୪୭ ଲକ୍ଷ ନା୪୩ ଲକ୍ଷ? ମାତ୍ର ତିନିମାସରେ ସରକାର ଦେଇଛନ୍ତି ଏ ତିନୋଟି ହିସାବ। ପ୍ରଥମେ କୃଷିମନ୍ତ୍ରୀଙ୍କ ହିସାବ ଜାଣନ୍ତୁ। ନଭେମ୍ବର ୧୩ରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ କୃଷିମନ୍ତ୍ରୀ କହିଥିଲେ ୫୧ ଲକ୍ଷ ୫ ହଜାର ଚାଷୀଙ୍କୁ ସରକାର କାଳିଆ ଯୋଜନାରେ ୨୫୫୨ କୋଟି ଟଙ୍କା ଦେଇଛନ୍ତି। ଦୁଇମାସ ପରେ ୧୪ ଜାନୁଆରୀରେ କାଳିଆକୁ ଐତିହାସିକ ଯୋଜନା କହି ଏଥିରେ ୪୭ ଲକ୍ଷ ୭୯ ହଜାର ଚାଷୀଙ୍କୁ ସହାୟତା ଦିଆଯାଇଥିବା କୁହାଯାଇଛି। ପୁଣି ମାସେ ପରେ ଅର୍ଥାତ ଗତକାଲି ଅର୍ଥମନ୍ତ୍ରୀ ବଜେଟ ଅଭିଭାଷଣରେ କହିଥିଲେ କାଳିଆରେ ୪୩ ଲକ୍ଷ ଚାଷୀଙ୍କୁ ୫ ହଜାର ୧୧୫ କୋଟି ଦିଆଯାଇଛି । ଏଠି ପ୍ରଶ୍ନ ଉଠୁଛି ଏ ତିନୋଟି ତଥ୍ୟ ଭିତରୁ କୋଉଟା ଠିକ୍? ତିନିମାସରେ କୁଆଡ଼େ ଗଲେ ୮ ଲକ୍ଷ ୫ ହଜାର ଚାଷୀ? ଏମାନେ ଅଯୋଗ୍ୟ ନୁହଁନ୍ତ ତ ? ଯଦି ଅଯୋଗ୍ୟ ତେବେ ୮ ଶହ କୋଟି ପାଣିରେ ପଡିଲା କି?
ଏଥର କାଳିଆ ଯୋଜନା ପାଇଁ ବଜେଟ୍‌ରେ ୩ ହଜାର ୧୯୫ କୋଟିର ବ୍ୟୟବରାଦ ହୋଇଛି। ଗତବର୍ଷ ଏ ପରିମାଣ ଥିଲା ୫ ହଜାର ୬୧୧ କୋଟି। ଅର୍ଥାତ ୨୪ ଶହ ୧୬କୋଟି କମ୍ । ଅର୍ଥ ଅଭାବ ସରକାରଙ୍କ କାଳିଆ ଦମ୍ଭକୁ ମୋଡ଼ି ମକଚି ଦେଇଛି । ଯଦିଓ ଖୋଦ୍ ମୁଖ୍ୟମନ୍ତ୍ରୀ ନିଜେ ନିର୍ବାଚନୀ ସଭାରେ ଘୋଷଣା କରିଥିଲେ ସରକାରକୁ ଆସିବାର ପ୍ରଥମ ଦିନ ସବୁ ଚାଷୀଙ୍କୁ ୨ କିସ୍ତିରେ ୧୦ ହଜାର ଟଙ୍କା ମିଳିବଅ। ଏବେ ତାହା ୪ ହଜାରକୁ ଖସିଆସିଛି। ତା'ଛଡ଼ା ଉକ୍ତ ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ସାମିଲ କରିବାର ପ୍ରତିଶ୍ରୁତି ମଧ୍ୟ ପୂରଣ ହେଲାନି।
ଅନ୍ୟପଟେ ସରକାର ମାନିଛନ୍ତି ଯେ, କାଳିଆରେ ୪୫ ହଜାର ୯୬୫ ଅଯୋଗ୍ୟ ଚାଷୀ ଟଙ୍କା ନେଇଛନ୍ତି। ଏଥିରୁ ମାତ୍ର ୧୮ ଶହ ୬୩ ଜଣ ଟଙ୍କା ଫେରାଇଛନ୍ତି। ବାକି ଟଙ୍କା କେବେ ଫେରାଇବେ ତା ଅସ୍ପଷ୍ଟ। ତେବେ ସରକାର ଏତିକି ସ୍ପଷ୍ଟ କରିଛନ୍ତି ପିଏମ୍ କିଶାନ୍‌ରେ ୬ ହଜାର ଓ କାଳିଆରେ ୪ ହଜାର ଟଙ୍କା ମିଳିବ। କେନ୍ଦ୍ରର ପିଏମ୍ କିଷାନ ସହ ବି ଏହା ମିଶିବନି । ତେବେ ଓଡିଶା ଇତିହାସରେ କାଳିଆକୁ ସର୍ବବୃହତ ବ୍ୟକ୍ତି କୈନ୍ଦ୍ରୀକ ହିତାଧିକାରୀ ଯୋଜନା ଭାବେ ପ୍ରଚାର କରୁଥିବା କୃଷିବିଭାଗ ଏବେ ହିତାଧିକାରୀଙ୍କ ଗୋଳମାଳିଆ ତଥ୍ୟକୁ ନେଇ କାଠଗଡାକୁ ଟାଣି ହୋଇଯାଇଛି।

No comments:

Post a Comment