Welcome To BN News . Always With Common People .

Breaking

Monday 1 April 2019

ବିଜେପି ସରକାରକୁ ଆସିଲେ ଗରିବ ଲୋକଙ୍କୁ ପଟ୍ଟାଯୁକ୍ତ ଜମି ଓ ପକ୍କା ଘର ଦିଆଯିବ - ଧର୍ମେନ୍ଦ୍ର ପ୍ରଧାନ



ଉମରକୋଟ, ଏପ୍ରିଲ ୦୧ :
ଭାରତୀୟ ଜନତା ପାର୍ଟି ଦିଲ୍ଲୀ ଓ ଓଡିଶାରେ ହେଲେ କୃଷିଜାତ ଶିଳ୍ପର ପେଣ୍ଠସ୍ଥଳ ନବରଙ୍ଗପୁର ହେବ । ଏଠାରେ ମକା ଆଧାରିତ ଶିଳ୍ପ ପାଇଁ କାରଖାନା ତିଆରି କରାଯିବ । ବୈକଳ୍ପିକ ପଦ୍ଧତିରେ ମକାରୁ ପେଟ୍ରୋଲ ଓ ଡିଜେଲ ବାହାର କରାଯିବ । ନବରଙ୍ଗପୁର ଜିଲ୍ଲା ପେଟ୍ରୋଲ ଓ ଡିଜେଲର ଆବଶ୍ୟକତାକୁ ପୂରଣ କରିବ । ଜିଲ୍ଲାର ଆଦିବାସୀ, ଚାଷୀ, ପଛୁଆ ବର୍ଗର ଲୋକମାନେ ଏଠାରେ ମକା ଉତ୍ପାଦିତ କରି ପେଟ୍ରୋଲ ଡିଜେଲ ତିଆରି କରିବେ । ଫଳରେ ନବରଙ୍ଗପୁରରେ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜି ଆସିବ ଏବଂ ଏହାଦ୍ୱାରା ଜିଲ୍ଲାରେ ରୋଜଗାର ବଢିବ ଏବଂ ସ୍ଥାନୀୟ ଅର୍ଥନୀତି ବିକଶିତ ହୋଇପାରିବ । ଏଥିପାଇଁ ନବରଙ୍ଗପୁରବାସୀଙ୍କ ନରେନ୍ଦ୍ର ମୋଦୀଙ୍କୁ ପ୍ରତି ଆଶୀର୍ବାଦ ରହିବା ଦରକାର ବୋଲି ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ବିଜେପି ସରକାରକୁ ଆସିଲେ ଆଗାମୀ ୫ ବର୍ଷରେ ନବରଙ୍ଗପୁର ଜିଲ୍ଲାରେ ଏକ ବିଶେଷ କମିଶନ ବସାଇ ଗରିବ ଲୋକଙ୍କୁ ପଟ୍ଟାଯୁକ୍ତ ଜମି, ଘରଡିହ ସହ ପକ୍କା ଘର ଦିଆଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜେପିର ବିଜୟ ସଂକଳ୍ପ ସଭାରେ ପବିତ୍ର ଉକ୍ରଳ ଦିବସକୁ ସ୍ୱାଗତ ଜଣାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ୧୯୩୬ ମସିହାରେ ଓଡିଶା ଦେଶର ପ୍ରଥମ ଭାଷାଭିତିକ ରାଜ୍ୟ ଭାବେ ଜନ୍ମ ନେଇଥିଲା । ଗତ ୨୯ ତାରିଖରେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶହୀଦ ଲଖ୍ମଣ ନାୟକଙ୍କର ବଳିଦାନ ଦିବସରେ କୋରାପୁଟର ଜୟପୁରକୁ ଆସିଥିବା ବେଳେ ନୂଆ ଭାରତ, ନୂଆ ଓଡିଶା ତଥା ଓଡିଶା ଓ ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଲଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଉମୋରକୋଟରେ ପହଁଚାଇବା ପାଇଁ ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡିଶା ଆସିଛନ୍ତି ବୋଲି ସେ କହିଛନ୍ତିା
ଅତୀତରେ ଅନେକ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱରେ ଥିଲେ ମଧ୍ୟ କେହି ଗରିବ ମା' ଭଉଣୀମାନଙ୍କ ଆଖିରୁ ଲୁହ ପୋଛିବାର ଯୋଜନା କରିନଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଟ୍ରେଜେରୀରୁ ଟଙ୍କା ଆଣି ନବରଙ୍ଗପୁରର ମା' ଭଉଣୀଙ୍କ ପାଇଁ ଏଲପିଜି ଗ୍ୟାସ ଚୂଲା ପଠାଇଲେ, ଗରିବ ମହିଳାଙ୍କ ପାଇଁ ଇଜ୍ଜତ ଘରସ୍ୱରୂପ ଶୌଚାଳୟ ନିର୍ମାଣ କଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ମୁଣ୍ଡ ଉପରେ ପକ୍କା ଘର ଦେବା କଥା ଭାବିଲେ, ଘରକୁ ବିଜୁଳି ପହଁଚାଇବା ସହ ଗରିବଙ୍କ ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନା କଲେ । ଏହା ସହ ଚାଷୀଙ୍କ ପାଇଁ ପିଏମ କିଷାନ ଯୋଜନା ଓ ଶ୍ରମିକଙ୍କ ପାଇଁ ଶ୍ରମଯୋଗୀ ଯୋଜନା କଲେ । ମୋଦିଙ୍କ ମୂଳ କେନ୍ଦ୍ର ଗରିବ କଲ୍ୟାଣ ଥିଲା ବୋଲି ସେ କହିଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି ଯେ ଦେଶର ୧୧୫ଟି ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଂକ୍ଷା ଜିଲ୍ଲା ଭାବେ ନିଜେ ତଦାରଖ କରୁଛନ୍ତି । ପ୍ରତି ମାସରେ ନବରଙ୍ଗପୁର ଜିଲ୍ଲାର ତଦାରଖ କରି ଏ ଜିଲ୍ଲାର ବିକାଶର କଥା ଚିନ୍ତା କରନ୍ତି । ଅନ୍ୟପଟେ ଓଡିଶାର ମୁଖ୍ୟମନ୍ତ୍ରୀ ଉମରକୋଟର ଗାଁମାନଙ୍କୁ ଯାଇ ଲୋକଙ୍କ ସୁଖ ଦୁଃଖ କଥା ବୁଝିଛନ୍ତି କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଲୋକଙ୍କ ସୁଖ ଦୁଃଖରେ ଠିଆ ହେଉଥିବା ଲୋକକୁ ହିଁ ସରକାର କୁହାଯିବ । ସେ ଯେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟରେ ୧୯ ବର୍ଷର କୁଶାସନ, ଅତ୍ୟାଚାରୀ, ନାରୀ, ଯୁବ, କୃଷକ, ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ବିରୋଧୀ ଶାସନ ଚାଲିଛି । ଏହାକୁ ବଦଳେଇବାର ସମୟ ଆସିଛି । ଗୋଟିଏ ପଟେ ୧୯ ବର୍ଷ ଶାସନର ଅବ୍ୟବସ୍ଥା ଓ ଆଉ ଗୋଟିଏ ପଟେ ୫ ବର୍ଷର କଲ୍ୟାଣକାରୀ ଯୋଜନାର ଶାସନ । ଧର୍ମେନ୍ଦ୍ରପ୍ରଧାନ କହିଛନ୍ତି ଯେ ଓଡିଶାର କୁଶାସନକୁ ବଦଳେଇବା ଦରକାର ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏ ଅଂଚଳର ଯୁବକ କାମ ପାଇଁ ବାହାରକୁ ଯାଉଛି । ଏ ଅଂଚଳରେ କାମ ସୃଷ୍ଟିରେ ହେବା ଦରକାର । ନିଜ ଜିଲ୍ଲାର ଲୋକଙ୍କୁ କାମ ଦେଇ ଅନ୍ୟ ସବୁ ଜିଲ୍ଲାର ଲୋକଙ୍କୁ କାମ ଦେବାର ସମ୍ଭାବନା ନବରଙ୍ଗପୁର ପାଖରେ ଅଛି । ସେହିପରି ଓଡିଶା ଓ ଦିଲ୍ଲୀରେ ମୋଦିଙ୍କ ଡବଲ ଇଞ୍ଜିନ ଲାଗିଲେ ଗରିବଙ୍କ ପାଇଁ ଆସୁଥିବା ଟଙ୍କା ବିଜୁ ଜନତା ଦଳର ଦଲାଲାମାନଙ୍କ ପକେଟକୁ ଯିବନାହିଁ ବୋଲି ସେ କହିଛନ୍ତି ।

No comments:

Post a Comment