Welcome To BN News . Always With Common People .

Breaking

Monday 8 April 2019

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରୁ ବଢୁଛି ମୋଦି ହାଓ୍ବା


୨୦୧୪ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ଥିଲା। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ ଦେଶର ଭୋଟର ୫ ବର୍ଷ ପରଖିବା ପରେ ମୋଦିଙ୍କ ଆକର୍ଷଣ ଫିକା ପଡ଼ିଯାଇଥିଲା। ଏଭଳି ସମୟରେ ପୁଲଓ୍ବାମା ଆକ୍ରମଣ ଓ ବାଲାକୋଟ ପ୍ରତିଆକ୍ରମଣ ତାଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଲୋକନୀତି ପକ୍ଷରୁ କରାଯାଇଥିତ୍ବା ସଦ୍ୟ ସର୍ବେକ୍ଷଣ ଏହାର ପ୍ରମାଣ ଦେଉଛି। ଅନ୍ୟପକ୍ଷରେ ସାଧାରଣ ନିର୍ବାଚନରେ ମୋଦିଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ପୁଲଓ୍ବାମା ଆକ୍ରମଣକୁ ଅନୁମତି ଦେଇଥିଲେ ବୋଲି ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ରବିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେହିପରି ମୋଦି ସରକାର ପାକିସ୍ତାନ ଉପରେ ଏପ୍ରିଲ ୧୬ରୁ ୨୦ ତାରିଖ ମଧ୍ୟରେ ଆଉ ଏକ ଆକ୍ରମଣ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଇସ୍‌ଲାମାବାଦ ଅଭିଯୋଗ ଆଣିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।
ଫେବୃୟାରୀ ୧୪ରେ ପୁଲଓ୍ବାମା ଆକ୍ରମଣ ପରେ ୨୬ ତାରିଖରେ ପାକିସ୍ତାନର ଖାଇବରପାଖ୍‌ତୁନ୍‌ଖ୍ବାସ୍ଥିତ ବାଲାକୋଟର ଜୈଶ୍‌ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍‌ କରିଥିଲା। ଏହା ପରେ ଭାରତରେ ମୋଦି ହାଓ୍ବାର ପ୍ରବାହ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ଟି ନିଷ୍ପତ୍ତି ସାଧାରଣ ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିପାରେ ବୋଲି ନୂଆଦିଲ୍ଲୀସ୍ଥିତ ସେଣ୍ଟର ଫର୍‌ ଷ୍ଟଡି ଅଫ୍‌ ଡେଭଲପିଙ୍ଗ୍‌ ସୋସାଇଟିଜ୍‌ରେ ଲୋକନୀତି ପକ୍ଷରୁ କରାଯାଇଥିବା ଗବେଷଣା କାର୍ଯ୍ୟକ୍ରମରୁ ଜଣାପଡ଼ିଛି। ପ୍ରାକ୍‌ ନିର୍ବାଚନୀ ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି ଯେ, ଆତଙ୍କବାଦୀ ଶିବିର ଉପରେ ପ୍ରତିଆକ୍ରମଣ, ଉଚ୍ଚବର୍ଗର ଆର୍ଥିକ ଅସ୍ବଚ୍ଛଳ ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଏବଂ ପିଏମ୍‌-କିଷାନ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ ନିଷ୍ପତ୍ତି ମୋଦିଙ୍କୁ କ୍ଷମତାକୁ ପୁଣିଥରେ ଫେରିବା ପାଇଁ ବାଟ ଫିଟାଇଛି। ମୋଦି ପୁନଃ କ୍ଷମତାସୀନ ହୁଅନ୍ତୁ ବୋଲି ଦେଶର ୪୩% ମତଦାତା ଚାହାନ୍ତି। ୨୦୧୪ ଲୋକ ସଭା ନିର୍ବାଚନ ତୁଳନାରେ ୨୦୧୯ ଭୋଟ ମହାପର୍ବ ବେଳେ ମୋଦିଙ୍କ ଲୋକପ୍ରିୟତା ୭% ବୃଦ୍ଧି ପାଇଛି। ଦେଶର ୨୯ ରାଜ୍ୟ ମଧ୍ୟରୁ ୧୯ଟିର ୧୦,୦୧୦ ମତଦାତାଙ୍କୁ ନେଇ ଗତ ମାର୍ଚ୍ଚ ୨୪ରୁ ୩୧ ମଧ୍ୟରେ କରାଯାଇଥିବା ପୋଲ୍‌ ସର୍ଭେରେ ଏହି ବିଷୟ ସାମ୍ନାକୁ ଆସିଛି।
ସେପଟେ ପାକିସ୍ତାନର ମୁଲତାନରେ ଏକ ଖବରତାଦା ସମ୍ମିଳନୀକୁ ସମ୍ବୋଧିତ କରି ସେଠାକାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ରବିବାର କହିଛନ୍ତି, ପାକିସ୍ତାନ ଉପରେ ଭାରତ ଆଉ ଏକ ଆକ୍ରମଣ କରିବା ପାଇଁ ନୂଆ ଯୋଜନା କରୁଛି। ଏପ୍ରିଲ ୧୬-୨୦ ତାରିଖ ମଧ୍ୟରେ ଭାରତ ଆକ୍ରମଣ କରିପାରେ ବୋଲି ପାକିସ୍ତାନର ବିଶ୍ୱସ୍ତ ଗୋଇନ୍ଦା ରିପୋର୍ଟ ଆଧାରରେ ସେ ଏହି ଦାବି କରିଛନ୍ତି। ଭାଜପା ନିର୍ବାଚନକୁ ଦୃଷ୍ଟିରେ ରଖି ଯୁଦ୍ଧ ଉନ୍ମାଦ ସୃଷ୍ଟି କରୁଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅଭିଯୋଗ ଆଣିବାର ଦିନକ ପରେ କୁରେଶୀଙ୍କ ପକ୍ଷରୁ ଏହି ମନ୍ତବ୍ୟ ଆସିଛି।
ଇତିମଧ୍ୟରେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ବିବାଦୀୟ ମନ୍ତବ୍ୟ ମୋଦି ସରକାରଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। ଶ୍ରୀନଗର ଲୋକ ସଭା ଆସନରୁ ନିର୍ବାଚନ ଲଢ଼ୁଥିବା ଫାରୁକ୍‌ ରବିବାର କହିଛନ୍ତି, ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ହେବ ବୋଲି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଅବଗତ ଥାଇ ଏହାକୁ ଅନୁମତି ଦେଇଥିଲେ। ଆକ୍ରମଣରେ ବ୍ୟବହୃତ ବିସ୍ଫୋରକ କେଉଁଠୁ ଆସିଥିଲା? ମୋଦିଙ୍କୁ ନିର୍ବାଚନ ଜିତିବାକୁ ଅଛି ବୋଲି ସେ ଏହି 'କାରନାମା' କରାଇଛନ୍ତି। ପୁଲଓ୍ବାମା ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଥିବାରୁ ଆଗକୁ ଏଭଳି ଘଟଣାକୁ ଏଡାଇବା ଲାଗି ଜମ୍ମୁ-ଶ୍ରୀନଗର ରାଜପଥରେ ସପ୍ତାହକୁ ଦୁଇଦିନ (ରବିବାର ଓ ବୁଧବାର) ସାଧାରଣ ପରିବହନକୁ ବନ୍ଦ କରାଯାଇଛି। ଯାନବାହନ ଚଳାଚଳ ବାତିଲ ପ୍ରତିବାଦରେ ଏନ୍‌ସି ପକ୍ଷରୁ ଦିଆଯାଇଥିବା ଧାରଣାରେ ବସିଥିବାବେଳେ ଫାରୁକ୍‌ ଉପରୋକ୍ତ ଅଭିଯୋଗ ଆଣି ଜାତୀୟ ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ଦାବିକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି। ଯୁଦ୍ଧ ଉନ୍ମାଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ କୁରେଶୀ ଏଭଳି ଦାୟିତ୍ୱହୀନ ଓ ନିରର୍ଥକ ମନ୍ତବ୍ୟ ଦେଇଛନ୍ତି ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି।

No comments:

Post a Comment