Welcome To BN News . Always With Common People .

Breaking

Sunday 7 April 2019

ଟିକସ ଫାଙ୍କୁଛନ୍ତି ଚାଇନା ଇ-କମର୍ସ କମ୍ପାନୀ


ସୀମା ଶୁଳ୍କ ନ ଦେଇ ଉପହାର ନାମରେ ସାମଗ୍ରୀ ବିକ୍ରି କରୁଛି ଚାଇନାର ଏକାଧିକ ଇ-କମର୍ସ କମ୍ପାନୀ। ଏବେ ସେମାନଙ୍କ ବିରୋଧରେ ଭାରତ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆରମ୍ଭ ହୋଇଛି। ଏ ମାମଲା ସହ ଜଡ଼ିତ ଦୁଇ ଜଣ କହିଛନ୍ତି ଯେ, ଟିକସ ଓ ସୀମା ଶୁଳ୍କ ଅଧିକାରୀମାନଙ୍କୁ ପତ୍ର ଲେଖିବା ପରେ କେନ୍ଦ୍ର ସରକାର ଏବେ ପୋଷ୍ଟ ଅଫିସ ଓ କୁରିୟର କମ୍ପାନୀଙ୍କୁ ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। 
ଏହି ମାମଲା ସହ ଅବଗତ ଜଣେ ବ୍ୟକ୍ତି କହିଛନ୍ତି ଯେ, ଆଜି ସୁଦ୍ଧା କଷ୍ଟମ୍ସ ବିଭାଗକୁ ଦୃଢ଼ ପଦକ୍ଷେପ ନେବାକୁ କୁହାଯାଉଥିଲା। କିନ୍ତୁ ଏବେ ପୋଷ୍ଟ ଅଫିସକୁ ମଧ୍ୟ ଏଭଳି କିଣାକିଣି ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି। ଚାଇନାରୁ ଆସୁଥିବା ସାମଗ୍ରୀ ଉପହାର ବାବଦରେ ଭାରତକୁ ଆସୁଛି କି ନା ଯାଞ୍ଚ କରିବା ଲାଗି ଉଦ୍ୟୋଗ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ(ଡିପିଆଇଆଇଟି) ଦେଶର ସମସ୍ତ ବନ୍ଦରକୁ ପତ୍ର ଲେଖିଛନ୍ତି। ମୁମ୍ବାଇ ବନ୍ଦର ବାଟେ ଚାଇନାରୁ ମାଲ୍‌ ଆମଦାନୀକୁ ସରକାର ବନ୍ଦ କରିଦେଇଛନ୍ତି। ଏବେ ଏହା ଚେନ୍ନାଇ ଓ କୋଲକାତା ସମେତ ଦେଶର ଅନ୍ୟ ଅଞ୍ଚଳରୁ ଆମଦାନୀ ବନ୍ଦ କରିବାକୁ ପ୍ରୟାସ ଆରମ୍ଭ କରିଛି। ସୂଚନାଥାଉ କି, ସରକାରଙ୍କ ନୀୟମର ଫାଇଦା ଉଠାଇ ଆଜି ସୁଦ୍ଧା ଦେଶର ବିଭିନ୍ନ ଅଞ୍ଚଳରୁ ଉପହାର ଦର୍ଶାଇ ଚାଇନାର ବିଭିନ୍ନ ଇ-କମର୍ସ କମ୍ପାନୀରୁ ସାମଗ୍ରୀ ଆମଦାନୀ କରାଯାଉଛି। ଘରୋଇ ନିୟମ ଅନୁଯାୟୀ, ବିଦେଶରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ଆମଦାନୀ ହେଲେ କୌଣସି ଟିକସ ଦେବାକୁ ପଡି ନ ଥାଏ।

ଏ ସଂକ୍ରାନ୍ତରେ ଜାଣିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, କ୍ଲବ୍‌ ଫାକ୍ଟରି, ଆଲିଏକ୍ସପ୍ରେସ ଏବଂ ସେନ୍‌ ଭଳି ଚାଇନିଜ କମ୍ପାନୀମାନେ ସରକାରଙ୍କ ଏହି ନିୟମର ଫାଇଦା ଉଠାଇ ସାମଗ୍ରୀ ପଠାଉଛନ୍ତି ଅଥଚ କୌଣସି ସୀମାଶୁଳ୍କ ଦେଉନାହାନ୍ତି। ତଦନ୍ତରୁ ଜଣାପଡିଛି ଯେ,ପଞ୍ଜୀକୃତ ତଥା ଅଧିକୃତ ହୋଇଥିବା କୁରିୟର କମ୍ପାନୀମାନେ କଷ୍ଟମ୍ସ ବିଭାଗରୁ ପ୍ରାକ୍‌ ଅନୁମତି ନ ନେଇ ଅଥବା ସୂଚନା ପ୍ରଦାନ ନ କରି ଏଭଳି ଆମଦାନୀକୁ ଘରେ ଘରେ ପହଞ୍ଚାଉଛନ୍ତି। ତଦନ୍ତରୁ ଜଣାପଡିଛି ଯେ, ଚାଇନିଜ ଇ-କମର୍ସ କମ୍ପାନୀକୁ ଭାରତରୁ ଦୈନିକ ୨ ଲକ୍ଷ ବିକ୍ରି ଅର୍ଡର ଦିଆଯାଉଥିଲା। ଏଥିପାଇଁ କମ୍ପାନୀଗୁଡ଼ିକ କୌଣସି ଟିକସ ଦେଉ ନ ଥିଲେ।

ତେବେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବା ପରେ ଏଥିରେ ଯଥେଷ୍ଟ ହ୍ରାସ ଘଟିଛି। ତଥାପି ଏବେ ଦୈନିକ ୧ଲକ୍ଷ ୨୦ ହଜାର ଅର୍ଡର ଦିଆଯାଉଛି। ଯାହାକି ଅତ୍ୟଧିକ କୁହାଯାଉଛି। ଏହାକୁ ରୋକିବା ଲାଗି ଦେଶର ପ୍ରମୁଖ ବନ୍ଦରଗୁଡ଼ିକୁ ସତର୍କ କରିଦିଆଯାଇଛି।

ତେବେ ଚାଇନା ଇ-କମର୍ସ କମ୍ପାନୀଙ୍କ ତୁଳନାରେ ଫ୍ଲିପକାର୍ଟ ଏବଂ ଆମାଜନରେ ଦୈନିକ ହାରାହାରି ପ୍ରାୟ ୧୦ ଲକ୍ଷ ଅର୍ଡର ଦିଆଯାଉଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଭାରତୀୟ ଓ ଚାଇନା ଇ-କମର୍ସ କମ୍ପାନୀଙ୍କ ସାମଗ୍ରୀ ମୂଲ୍ୟ ଭିତରେ ପ୍ରାୟ ୪୦% ବ୍ୟବଧାନ ରହିଥିବା ଭାରତୀୟମାନେ ଜାଣିଛନ୍ତି। ଅନେକ ଚାଇନିଜ ଇ-କମର୍ସ କମ୍ପାନୀ ନିଜର ଓ୍ବେବସାଇଟରେ ସାମଗ୍ରୀ ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରଦର୍ଶିତ କରୁଛନ୍ତି ଏବଂ ଯୋଗାଣ ବେଳେ ରସିଦ(ଇନ୍‌ଭଏସ୍‌) ଦେଉନାହାନ୍ତି। ଅଧିକାଂଶ ମାମଲାରେ ଗ୍ରାହକ କ୍ୟାଶ ଅନ୍‌ ଡେଲିଭରି ବିକଳ୍ପ ବାଛୁଛନ୍ତି।

ଫଳରେ ଯାଞ୍ଚକର୍ତ୍ତାମାନେ କେଉଁ ସାମଗ୍ରୀ କେଉଁଠି ବିକ୍ରି କରାଯାଉଛି ଜାଣିପାରୁ ନାହାନ୍ତି। ଏବେ ଚାଇନିଜ ଇ-କମର୍ସ କମ୍ପାନୀଙ୍କୁ ଭାରତରେ ପଞ୍ଜୀକରଣ କରିବା ଲାଗି ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ସେମାନଙ୍କ ବିରୋଧରେ ଭାରତୀୟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ଅନ୍‌ଲାଇନ ପୋର୍ଟାଲ ଲୋକାଲ ସର୍କଲର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ସଚିନ ଟାପାରିଆ କହିଛନ୍ତି। ସେ ହିଁ ପ୍ରଥମେ ଚାଇନାର ଇ-କମର୍ସ କମ୍ପାନୀଙ୍କ ଟିକସ ଫାଙ୍କି ଖେଳ ସମ୍ପର୍କରେ ଗତବର୍ଷ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ।

No comments:

Post a Comment