Welcome To BN News . Always With Common People .

Breaking

Saturday 16 March 2019

ଚଢ଼ା ଦରରେ ବହି ବିକ୍ରି, ଘରୋଇ ପ୍ରକାଶନୀ ସଂସ୍ଥାଙ୍କ ପୁସ୍ତକ କିଣିବାକୁ ବାଧ୍ୟ କରାଯାଉଛି , ଘରୋଇ ସ୍କୁଲ କ୍ୟାମ୍ପସରେ ଖୋଲିଛି ବିକ୍ରୟ କେନ୍ଦ୍ର



ନାମଲେଖା ପାଇଁ ଅଭିଭାବକଙ୍କଠାରୁ ଚଢ଼ା ଦର ନେଉଛନ୍ତି ଘରୋଇ ବିଦ୍ୟାଳୟ। ତଥାପି ସ୍କୁଲ କର୍ତୃପକ୍ଷଙ୍କ ମନ ମାନୁନି , ପୁସ୍ତକ ବିକ୍ରି ନାଁରେ କୋମଳମତି ଛାତ୍ରଛାତ୍ରୀଙ୍କଠାରୁ ହଜାର ହଜାର ଟଙ୍କା ନେଉଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌କୁ ଖାତିର କରୁନାହାନ୍ତି। ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ତାରି ଏଜୁକେସନ(ସିବିଏସ୍‌ଇ) ଦ୍ବାରା ଜାରି ନିୟମକୁ ବି ମାନୁନାହାନ୍ତି। ବଡ଼ ବଡ଼ ତଥା ନାମକରା ସ୍କୁଲଗୁଡ଼ିକ ନିଜ ମର୍ଜିରେ ପିଲାଙ୍କୁ ବହି ‌ପଢ଼ିବାକୁ ଦେଉଛନ୍ତି। ନ୍ୟାସନାଲ କାଉନସିଲ୍‌ ଅଫ୍‌ ଏଜୁକେସନ ରିସର୍ଚ୍ଚ ଆଣ୍ତ ଟ୍ରେନିଂ (ଏନ୍‌ସିଇଆର‌୍‌ଟି) ଦ୍ବାରା ପ୍ରକାଶିତ ପୁସ୍ତକ ବଦଳରେ ବାହାର ତଥା ଘରୋଇ ପ୍ରକାଶନୀ ସଂସ୍ଥା ଦ୍ବାରା ପ୍ରକାଶିତ ପୁସ୍ତକ ପିଲାଙ୍କୁ ଦିଆଯାଉଛି। ଯେଉଁଥିପାଇଁ ଏନ୍‌ସିଇଆର୍‌ଟି ଦ୍ବାରା ପ୍ରକାଶିତ ଯେଉଁ ପୁସ୍ତକର ମୂଲ୍ୟ ୨୫୦ଟଙ୍କା ରହିଛି, ତାହାକୁ ଛାତ୍ରଛାତ୍ରୀ ବାଧ୍ୟ ହୋଇ ଦୁଇ ହଜାର ଟଙ୍କାରେ କିଣୁଛନ୍ତି। ଘରୋଇ ବିଦ୍ୟାଳୟଗୁଡ଼ିକରେ କିଭଳି ଚଢ଼ା ଦରରେ ପୁସ୍ତକ ବିକ୍ରି ହେଉଛି, ତାହାର ଅନୁସନ୍ଧାନ କରିବାକୁ ଆମ ଜଣେ ସାମ୍ବାଦିକ ଏକ ନାମକରା ସ୍କୁଲରେ ପହଞ୍ଚିଥିଲା। ସେଠାରେ ଅଭିଭାବକମାନେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ବହି ନେଉଥିଲେ। ରାଜ୍ୟର ଏହି ନାମକରା ବିଦ୍ୟାଳୟରେ ଅଭିଭାବକଙ୍କୁ ନାଲିଆଖି ଦେଖାଇ ଚଢ଼ା ଦରରେ ବହି କିଣିବାକୁ ବାଧ୍ୟ କରାଯାଉଥିବା‌ ଦେଖିବାକୁ ମିଳିଥିଲା। କେତେକ ଅଭିଭାବକ ପ୍ରତିବାଦ କରୁଥିଲେ ମଧ୍ୟ ସ୍କୁଲ କର୍ତୃପକ୍ଷ ତାହାକୁ ଖାତିର କରୁ ନଥିଲେ। ବରଂ ସିଧାସିଧା କହୁଥିଲେ ନେବ ଯଦି ନିଅ ନ ‌ହେଲେ ନାହିଁ। ୫ମ ଶ୍ରେଣୀର ସବୁ ପିଲା ଏହି ବହି ପଢ଼ୁଛନ୍ତି। ତୁମେ କାହିଁକି ପ୍ରତିବ‌ାଦ କରୁଛ ବୋଲି ସ୍କୁଲ କର୍ମଚାରୀମାନେ ପ୍ରଶ୍ନ କରିଥିଲେ। ଆଉ କୌଣସି ବାଟ ନ ପାଇ ଅଭିଭାବକମାନେ ବାଧ୍ୟ ହୋଇ ସ୍କୁଲରୁ ବହି କିଣିଥିଲେ। ଗୋଟିଏ କି ଦୁଇଟି ସ୍କୁଲ ନୁହେଁ।  ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଘରୋଇ ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏଭଳି ଲୁଟ୍‌ କରୁଛନ୍ତି।
ସିବିଏସ୍‌ଇ ଅଧୀନ ବିଦ୍ୟାଳୟ ଛାତ୍ରଛାତ୍ରୀ ୨୦୧୭-୧୮ ଶିକ୍ଷାବର୍ଷରୁ କେବଳ ଏନ୍‌ସିଇଆର‌୍‌ଟି ଦ୍ବାରା ପ୍ରକାଶିତ ପୁସ୍ତକ ପଢ଼ିବେ ବୋଲି ନିୟମ ହୋଇଥିଲା। ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୁହାଯାଇଥିଲା ଯେ ସିବିଏସ୍‌ଇ ଅଧୀନ ଦେଶର ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ପାଠ୍ୟପୁସ୍ତକ ପ୍ରସ୍ତୁତ କରିବ ଏନ୍‌ସିଇଆର‌୍‌ଟି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ସିଲାବସ୍‌ ଅନୁଯାୟୀ ପୁସ୍ତକ ପ୍ରକାଶିତ ହେବ। ୬୮୦ଟି ଭେଣ୍ତର ସମେତ ନୂଆଦିଲ୍ଲୀସ୍ଥିତ ଏନ୍‌ସିଇଆର‌୍‌ଟିର ମୁଖ୍ୟ କାର୍ଯ୍ୟାଳୟ, ଅହମ୍ମଦାବାଦ, ଆଜମୈର‌୍‌, ବେଙ୍ଗାଲୁର‌ୁ, ଭୋପାଳ, ଭୁବନେଶ୍ବର, କୋଲକାତା ଏବ˚ ମହୀଶୂରରେ ଥିବା ବିକ୍ରୟ କେନ୍ଦ୍ରରେ ବି ପାଠ୍ୟପୁସ୍ତକ ବିକ୍ରି କରାଯିବ। ବିଦ୍ୟାଳୟଗୁଡ଼ିକ ନିଜ ଆବଶ୍ୟକତା ଅନୁଯାୟୀ ପୁସ୍ତକ ଲାଗି ସିବିଏସ୍‌ଇ ୱେବସାଇଟ୍‌ରେ ଆବେଦନ କରିବେ। ୨୦୧୭-୧୮ ଶିକ୍ଷାବର୍ଷରେ ସ୍କୁଲକୁ କେତେ ପୁସ୍ତକ ଆବଶ୍ୟକତା ରହିଛି, କେଉଁ ଶ୍ରେଣୀ ଏବ˚ ବିଷୟ ଅନୁଯାୟୀ କେତେ ସ˚ଖ୍ୟକ ପାଠ୍ୟପୁସ୍ତକ ଦରକାର ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରିବେ। ହେଲେ ନିୟମକୁ କେହି ବି ମାନୁନାହାନ୍ତି। ଏନ୍‌ସିଇଆର‌୍‌ଟି ପକ୍ଷରୁ ଯେଉଁ ବହି ୨୫୦ ଟଙ୍କାରେ ମିଳୁଛି ଘରୋଇ ବିଦ୍ୟାଳୟଗୁଡ଼ିକ ତାହାକୁ ୨୦୦୦ ଟଙ୍କାରେ ଛାତ୍ରଛାତ୍ରୀଙ୍କୁ ବିକ୍ରି କରୁଛନ୍ତି। କେବଳ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏନ୍‌ସିଇଆର‌୍‌ଟି ବହି ମିଳୁଥିବା ଜଣାପଡ଼ିଛି। ଏନ୍‌ସିଇଆର୍‌ଟି ବହି ପଢ଼ାଯାଉ ନଥିବା ଅଭିଯୋଗ କରି ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଉପଦେଷ୍ଟା ମନୋଜ ଜେନା ଗତକାଲି ଏନ୍‌ସିପିସିଆର୍‌ ଅଧ୍ୟକ୍ଷ ପ୍ରିୟଙ୍କା କାନୁନ୍‌ଗୋଙ୍କୁ ସାକ୍ଷାତ କରିଥିଲେ। ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି। ଏଥିସହ ମହାସଂଘର ସଦସ୍ୟମାନେ  ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀଙ୍କୁ ସାକ୍ଷାତ କରି ଦାବି ଜଣାଇଛନ୍ତି।

No comments:

Post a Comment